ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ଅଗ୍ନିଶମ ବାହିନୀର ‘ଫାୟାର ପାର୍କ’ ଓ ନିଜସ୍ୱ ୱେବସାଇଟ୍ ‘ଅଗ୍ନିଶମସେବା’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି । ଏହି ‘ଫାୟାର ପାର୍କ ’ ସମଗ୍ର ଦେଶରେ ପ୍ରଥମ । ଏଠାରେ ଲୋକମାନଙ୍କୁ ଅଗ୍ନିକାଣ୍ଡରୁ ବଂଚିବା ନିମନ୍ତେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନ କରାଯିବ । ଏହି ପାର୍କ ସବୁ ଶନିବାର ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ୨ଘଣ୍ଟା ଖୋଲା ରହିବ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ଯେ, ଏହି ପାର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ଅଗ୍ନିକାଣ୍ଡରୁ ଦୂରେଇ ରହିବା ଓ ପରିସ୍ଥିତିର ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ବିଶେଷକରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ । ଏହି ପାର୍କ ବିଶେଷକରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଆକର୍ଷଣରକେନ୍ଦ୍ର ପାଲଟିବ । ଜନସାଧାରଣଙ୍କ ସଚେତନତା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ନିଆଁ ଲାଗିଲେ କିଭଳି ମୁକାବିଲା କରାଯିବ ସେ ନେଇ ଶିକ୍ଷା ଦିଆଯିବ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଏହି ପାର୍କରେ ପ୍ରବେଶ ପାଇଁ ସୁଯୋଗ ମିଳିବ ।
ସେହିପରି ଅଗ୍ନିଶମ ବାହିନୀର ବିଭିନ୍ନ ନାଗରିକକେନ୍ଦ୍ରିକ ସେବା ନିମନ୍ତେ ଅନଲାଇନ୍ ୱେବପୋର୍ଟାଲ ‘ଅଗ୍ନିଶମସେବା’କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ୱେବସାଇଟ୍ ମାଧ୍ୟମରେ ଲୋକମାନେ ଅନଲାଇନରେ ବିଭିନ୍ନ ସେବା ଅଗ୍ନିଶମବାହିନୀଠୁ ପାଇପାରିବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିଶେଷକରି କୋଭିଡ୍, ଅମ୍ପାନ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବାହିନୀର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବାହିନୀ ଡିଜି ସତ୍ୟଜିତ୍ ମହାନ୍ତିଙ୍କ ସମେତ ରାଜ୍ୟ ପ୍ରଶାସନ ଓ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।


