ଭୁବନେଶ୍ୱର(ଓଡ଼ିଶା ୱେୟାର):ଆନ୍ତର୍ଜାତିକ ପୁରସ୍କାର ପାଇବା ଉଦ୍ଦେଶ୍ୟରେ ଚର୍ଚ୍ଚକୁ ପ୍ରଭାବିତ କରିବା ପାଇଁ କିସ୍ ପ୍ରତିଷ୍ଠାତା ତଥା ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳରେ ଦେଶର ପ୍ରଥମ ଖ୍ରୀଷ୍ଟିୟାନ ସ୍କୁଲର ଶିଳାନ୍ୟାସ କରିଛନ୍ତି। ଏହା ରାଜ୍ୟର ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବ ଓ ଧର୍ମାନ୍ତରୀକରଣକୁ ପ୍ରୋତ୍ସାହିତ କରିବ ବୋଲି ରାଜ୍ୟପାଳଙ୍କ ନିକଟରେ ବିଜେପି ଅଭିଯୋଗ କରିଛି।
ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରି ଫେବୃଆରୀ ୨୫ତାରିଖରେ କନ୍ଧମାଳର ଦାରିଙ୍ଗିବାଡ଼ିରେ ଦେଶର ପ୍ରଥମ ଖ୍ରୀଷ୍ଟିୟାନ ସ୍କୁଲ ସ୍ଥାପନ ପାଇଁ ଶ୍ରୀ ସାମନ୍ତ କରିଥିବା ଶିଳାନ୍ୟାସକୁ ବିରୋଧ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ଏଭଳି ସ୍କୁଲ ସ୍ଥାପନ ଦ୍ୱାରା ନିରୀହ ଆଦିବାସୀଙ୍କୁ ପ୍ରଭାବିତ କରିବା ଧର୍ମାନ୍ତରୀକରଣର ବାଟ ଫିଟିଯିବ ବୋଲି ବିଜେପି ଆଶଙ୍କା କରୁଛି। ଏହା ଦେଶର ଗଣତନ୍ତ୍ର ପ୍ରତି ଆସନ୍ନ ବିପଦ ଓ ଅସମ୍ବିଧାନିକ। ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ହେଉଥିବା ଷଡ଼ଯନ୍ତ୍ରକୁ ବିଜେପି ଦୃଢ଼ ବିରୋଧ କରୁଛି ଓ ଧାର୍ମିକ ତଥା ଜାତିଗତ ବିଦ୍ୱେଷ ଯେଭଳି ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛି। ଖ୍ରୀଷ୍ଟିୟାନ ଭୋଟ୍ ହାତେଇବା ପାଇଁ ଏଭଳି ହୀନ ରାଜନୀତିକ ପ୍ରୟାସ ହେଉଛି। ଏହାବ୍ୟତୀତ ଆନ୍ତର୍ଜାତିକ ପୁରସ୍କାର ପାଇବା ପାଇଁ ଚର୍ଚ୍ଚକୁ ଖୁସି କରିବାକୁ ଶ୍ରୀ ସାମନ୍ତ ଅସମ୍ବିଧାନିକ ଭାବେ ଏଭଳି ଖ୍ରୀଷ୍ଟିୟାନ ସ୍କୁଲ ସ୍ଥାପନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।


