ଭୁବନେଶ୍ୱର(ଓଡ଼ିଶା ୱେୟାର): ପରୀ ହତ୍ୟା ମାମଲାରେ ସ୍ୱର ନରମ କରି ରାଜ୍ୟ ସରକାରଙ୍କୁ ପରୋକ୍ଷରେ ସମର୍ଥନ କରୁଥିବା କଂଗ୍ରେସ ଆଜି କୃଷିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କ ବହିଷ୍କାରକୁ ଛୋଟିଆ ପ୍ରସଙ୍ଗ( ମାଇନର ଇସ୍ୟୁ) ବୋଲି କହିଛି । ଏହାସହିତ ପରୀ ମାମଲାକୁ ହାଲକା କରିବା ନିମନ୍ତେ ଦଳ ଗତ ୨୦ବର୍ଷ ଧରି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କର ଇସ୍ତଫା ଦାବି କରୁଛି ।
ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାରଙ୍କ ଉପସ୍ଥିତିରେ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ ପରୀ ପ୍ରସଙ୍ଗରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଦୁଇ ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜାଙ୍କ ମଧ୍ୟରେ ମତଭେଦକୁ ଖାରଜ କରିଦେଇଛନ୍ତି । ଆଉ ପରୀ ପ୍ରସଙ୍ଗରେ କଂଗ୍ରେସ ମ୍ୟାନେଜ ହେଲା ବୋଲି ସୁର ଓ ସନ୍ତୋଷ ଦେଇଥିବା ବୟାନକୁ ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର କହି ଶ୍ରୀ ପଟ୍ଟନାୟକ ଏଡ଼ାଇ ଯାଇଛନ୍ତି । ପ୍ରଭାରୀ ଚେଲାକୁମାର ଆସନ୍ତାକାଲି ନୟାଗଡ଼ ଯାଇ ପରୀ ପରିବାରକୁ ଭେଟିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେବା ସହ ପରୀ ଘଟଣାର ଏସଆଇଟି ତଦନ୍ତ ପାଇଁ ସରକାରଙ୍କ ନିଷ୍ପତ୍ତିରେ ତାଙ୍କ ଦଳ ସନ୍ତୁଷ୍ଟ ଥିବା କହିଛନ୍ତି । ସିବିଆଇ ତଦନ୍ତକୁ ସିଧାସଳଖ ଖାରଜ କରି କହିଛନ୍ତି ଯେ, ନ୍ୟାୟପାଳିକା ଉପରେ ତାଙ୍କ ଦଳର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ସିବିଆଇ ରାଜ୍ୟରେ ୧୯-୨୦ଟି ମାମଲାର ତଦନ୍ତ କରୁଛି, କିନ୍ତୁ କୌଣସିରେ ସଫଳତା ମିଳିନାହିଁ । ତେଣୁ ତାଙ୍କ ଦଳ ପାଇଁ ପରୀ ମାମଲାରେ ବିବାଦୀୟ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏକ ମାଇନର ଇସ୍ୟୁ । ସେ ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରୁଛନ୍ତି । ଅବଶ୍ୟ ପରୀ ପ୍ରସଙ୍ଗରେ ନୁହେଁ, ଗତ ୨୦ବର୍ଷ ଧରି ରାଜ୍ୟରେ ଦେଖାଦେଇଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ଇସ୍ତଫା ଦାବି କରୁଥିବା କହିଛନ୍ତି ।
ଏପଟେ କଂଗ୍ରେସ ପ୍ରଭାରୀ ଚେଲାକୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପରୀକୁ ନ୍ୟାୟ ମିଳିବା ଦରକାର । ପରୀ ପ୍ରସଙ୍ଗରେ ଦଳ ଭିତରେ ଭୁଲ୍ ବୁଝାମଣା ଥିବାକୁ ସ୍ୱୀକାର କରି ଏହା ଏବେ ଦୂର ହୋଇଛି ବୋଲି କହିଛନ୍ତି । ସିବିଆଇ ତଦନ୍ତ ଉପରେ କଂଗ୍ରେସର ଭରସା ନାହିଁ । କଂଗ୍ରେସ ପକ୍ଷରୁ କୋର୍ଟ ମନିଟର ଏସଆଇଟି ତଦନ୍ତ ଦାବି ହୋଇଛି ଓ ଏହା ଏବେ ଚାଲିଛି ବୋଲି ସେ କହିଛନ୍ତି ।
ତେବେ, ପରୀ ପ୍ରସଙ୍ଗକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ପ୍ରତିଦିନ କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି ନହେବା ମନ୍ତ୍ରୀ ଶ୍ରୀ ସାହୁଙ୍କ ନିମନ୍ତେ ଆଶ୍ୱସ୍ତିର ପ୍ରସଙ୍ଗ ।


