ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରଣର ଶୁଭାରମ୍ଭ ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମେ’ ୩୦ ତାରିଖରେ ଖେଳାଯିବ। ଚଳିତ ବର୍ଷ ମଧ୍ୟ ଆଇପିଏଲରେ ଅନେକ ନୂଆ ମୁହଁଙ୍କୁ ସାମିଲ୍ କରାଯାଇଛି। ଏହାସହ ଚଳିତ ସିଜନ୍ କିଛି ପୁରୁଣା ଖେଳାଳିଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ। ଆସନ୍ତୁ ଜାଣିବା, କେଉଁ କ୍ରିକେଟର ଚଳିନ୍ ସିଜନ୍ ପରେ ଅବସର ନେଇପାରନ୍ତି।
ମହେନ୍ଦ୍ର ସିଂ ଧୋନି: ୩୯ ବର୍ଷୀୟ ଧୋନି ଚଳିତ ସଂସ୍କରଣ ଖେଳିବାକୁ ଯାଉଛନ୍ତି। ସେ ଏକମାତ୍ର ଖେଳାଳି, ଯିଏ ପ୍ରତି ସିଜନରେ ନିଜର ଟିମର ନେତୃତ୍ୱ ନେଇଛନ୍ତି। ଆଇପିଏଲର ପ୍ରଥମ ସଂସ୍କରଣରୁ ସେ ଚେନ୍ନାଇ ସୁପର୍ କିଙ୍ଗସ୍ ସହ ଯୋଡ଼ି ହୋଇ ରହିଛନ୍ତି। ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଧୋନିଙ୍କ ପାଇଁ ଆଇପିଏଲ୍-୨୦୨୧ ଶେଷ ହୋଇପାରେ। ଅର୍ଥାତ୍ ଆସନ୍ତାବର୍ଷଠାରୁ ଧୋନିଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିନପାରେ। ଧୋନି ନିଜ ଟିମକୁ ଚତୁର୍ଥଥର ଚାମ୍ପିୟନ୍ କରାଇ ବିଦାୟ ନେବାକୁ ଚାହିଁବେ। ଧୋନି ୨୦୪ ମ୍ୟାଚରେ ୪୧ ହାରରେ ୪୬୩୨ ରନ୍ କରିଛନ୍ତି। ତାଙ୍କର ଷ୍ଟ୍ରାଇକରେଟ୍ ୧୩୬.୮ ରହିଛି। ତାଙ୍କ ନାଁରେ ୨୩ ଅର୍ଦ୍ଧଶତକ ରହିଛି। ୱିକେଟକିପର ଭାବେ ଧୋନି ୧୧୩ କ୍ୟାଚ୍, ୩୯ ଷ୍ଟମ୍ପିଂ ଓ ୨୧ ରନ୍ ଆଉଟ୍ କରିଛନ୍ତି।
କ୍ରିସ୍ ଗେଲ୍: ୪୧ ବର୍ଷୀୟ କ୍ରିସ୍ ଗେଲଙ୍କ ପାଇଁ ଚଳିତ ଆଇପିଏଲ୍ ଶେଷ ସଂସ୍କରଣ ହୋଇପାରେ। ସେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳିବେ। ଗେଲ୍ ନିଜର ଶେଷ ୭ ଆଇପିଏଲ୍ ଇନିଂସରେ ୧୩୭୬ ଷ୍ଟ୍ରାଇକରେଟରେ ୨୮୮ ରନ୍ କରିଛନ୍ତି, ଯେଉଁଥିରେ ତିନି ଅର୍ଦ୍ଧଶତକ ସାମିଲ୍ ଥିଲା। ତାଙ୍କର ସର୍ବୋଚ୍ଚ ସ୍କୋର ୯୯ ଥିଲା। ଏହି ୭ଟି ମ୍ୟାଚରେ ଗେଲ୍ ୨୩ଟି ଛକା ମଧ୍ୟ ମାରିଥିଲେ। ଗେଲ୍ ଏପର୍ୟ୍ୟନ୍ତ ୧୩୨ ମ୍ୟାଚ୍ ଖେଳି ୪୧.୧୪ ହାରରେ ୪୭୭୨ ରନ୍ କରିଛନ୍ତି। ସେ ୧୫୦.୧୧ ଷ୍ଟ୍ରାଇକରେଟରେ ୬ ଶତକ ଓ ୩୧ ଅର୍ଦ୍ଧଶତକ ମାରିଛନ୍ତି।
ଇମ୍ରାନ୍ ତାହିର୍: ଆଇପିଏଲ୍-୨୦୨୧ରେ ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ୪୨ ବର୍ଷୀୟ ଇମ୍ରାନ୍ ତାହିର୍ ଚଳିତ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ତାହିର୍ ୫୮ ଆଇପିଏଲ୍ ମ୍ୟାଚ୍ ଖେଳି ୨୧.୦୯ ହାରରେ ୫୮ ୱିକେଟ୍ ନେଇଛନ୍ତି। ତାଙ୍କର ଇକୋନମୀ ରେଟ୍ ୭.୮୩ ରହିଥିଲା। ୨୦୧୯ରେ ସେ ୨୬ ୱିକେଟ୍ ନେଇ ପର୍ପଲ୍ କ୍ୟାପ୍ ଜିତିଥିଲେ। ସେ ୨୦୧୮ରୁ ଚେନ୍ନାଇ ଟିମ୍ ସହ ରହିଛନ୍ତି।
ହରଭଜନ ସିଂହ: ଅଭିଜ୍ଞ ସ୍ପିନର ହରଭଜନ ସିଂହ ୪୦ ବର୍ଷର ହୋଇସାରିଲେଣି। ସେ ୪ଥର ଆଇପିଏଲ୍ ଟ୍ରଫି ଜିତିସାରିଛନ୍ତି। ତିନିଥର ମୁମ୍ବାଇ ଇଣ୍ଡିଆନ୍ସ (୨୦୧୩, ୨୦୧୫, ୨୦୧୭) ଏବଂ ଥରେ ଚେନ୍ନାଇ ସୁପର୍ କିଙ୍ଗସ୍ (୨୦୧୮) ସହ ଜିତିଛନ୍ତି। ଆଇପିଏଲରେ ସେ ପଞ୍ଚମ ବୋଲର ଭାବେ ସର୍ବାଧିକ ୱିକେଟ୍ ନେଇଛନ୍ତି। ସେ ୧୬୦ ମ୍ୟାଚ୍ ଖେଳି ୭.୦୫ ଇକୋନମୀରେ ୧୫୦ ୱିକେଟ୍ ନେଇଛନ୍ତି। ଗତବର୍ଷ ହରଭଜନ ନିଜ ନାଁ ପ୍ରତ୍ୟାହାର କରିନେଇଥିଲେ ଏବଂ ଚଳିତ ବର୍ଷ ଚେନ୍ନାଇ ସୁପର୍ କିଙ୍ଗସ୍ ତାଙ୍କୁ ରିଲିଜ୍ କରିଥିଲା। ନିଲାମରେ ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ କିଣିଛି। ହରଭଜନ ପଞ୍ଚମଥର ନିଜ ଟିମକୁ ଚାମ୍ପିଅନ୍ କରାଇ ବିଦାୟ ନେବାକୁ ଚାହିଁବେ।


