ଭୁବନେଶ୍ୱର : ଆସନ୍ତାକାଲିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଶାସକ ଓ ବିରୋଧୀ ଦଳର ଛକାପଞ୍ଝା ଯୋଗୁ ପ୍ରଥମ ଦିନରୁ ଗୃହ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଶେଷକରି ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ, ମହାନଦୀର ଜଳସ୍ତର ହ୍ରାସ ଓ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ସହଯୋଗୀ ହେବାକୁ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ଓହରିଯିବା ଆଦି ପ୍ରସଙ୍ଗକୁ ଶାସକ ଦଳ ପକ୍ଷରୁ ଜୋରଦାର୍ ଢଙ୍ଗରେ ଉପସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ବିଧାନସଭାରେ ଷ୍ଟାଣ୍ଡିଂ କମିଟି ରିପୋର୍ଟମାନ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଶାସକ ଦଳ ପକ୍ଷରୁ ମହାନଦୀ ଜଳସ୍ତର ହ୍ରାସ ଓ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ପ୍ରସଙ୍ଗକୁ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଥିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି । ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାରଠାରୁ ବିଭାଗୱାରି ବଜେଟ୍ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୋମବାର ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ, ମଙ୍ଗଳବାର ଶକ୍ତି, ବୁଧବାର ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଗୁରୁବାର ଅନୁସୂଚିତ ଜାତି ଓ ଜନଜାତି, ଶୁକ୍ରବାର ପଞ୍ଚାୟତିରାଜ ଓ ପାନୀୟ ଜଳ, ଶନିବାର ମହିଳା ଓ ଶିଶୁ ବିକାଶ ଏବଂ ଆଇନ ବିଭାଗ, ସୋମବାର କୃଷି ଓ କୃଷକ ସଶକ୍ତିକରଣ ଏବଂ ସମବାୟ, ମଙ୍ଗଳବାର ଶିଳ୍ପ ଓ ଏମ୍ଏସ୍ଏମ୍ଇ, ବୁଧବାର ଜଳସମ୍ପଦ, ଗୁରୁବାର ସ୍ୱରାଷ୍ଟ୍ର ଓ ସାଧାରଣ ପ୍ରଶାସନ, ଶୁକ୍ରବାର ପୂର୍ତ୍ତ , ଶନିବାର ଯୋଜନା ଓ ସଂଯୋଜନା ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ୩୦ତାରିଖରେ ୨୦୧୮-୧୯ ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପନ ଓ ଗୃହୀତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଏପ୍ରିଲ ୨୫ତାରିଖରେ ଗୃହ ବିଭାଗ ପକ୍ଷରୁ ବାର୍ଷିକ ଶ୍ୱେତପତ୍ର ପ୍ରକାଶ ପାଇବ । ସାଧାରଣତଃ ବଜେଟ୍ ଖର୍ଚ୍ଚଦାବି ଚାଲିଥିବାବେଳେ କୌଣସି ବିଲ୍ ଆସିନଥାଏ । ତେଣୁ ମେ’ ମାସର ପ୍ରଥମ ସପ୍ତାହରେ ସରକାରୀ ବିଲ୍ ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟତଃ ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଲ୍, ଓଡ଼ିଶା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ସଂଶୋଧନ ବିଲ୍ ସାମିଲ ଅଛି । ବିଧାନସଭା ମେ’ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ବିଶେଷକରି ମହାନଦୀ ଜଳ ସଙ୍କଟ ସୃଷ୍ଟି ହୋଇଥିବାରୁ କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପ୍ରସଙ୍ଗରେ ଗୃହରେ ଦଳ ଆଲୋଚନା କରିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଟ୍ରିବ୍ୟୁନାଲ ଗଠନ କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଉନାହାନ୍ତି । ମହାନଦୀ, ପୋଲାଭରମ୍ ପ୍ରସଙ୍ଗ ସମେତ ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବ ତାହା ଉପରେ ମଧ୍ୟ ଆଲୋଚନା ହେବ ବୋଲି ଶ୍ରୀ ଶତପଥୀ କହିଛନ୍ତି ।


