ଭୁବନେଶ୍ୱର : ପଞ୍ଚଦଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ଦିବଂଗତଙ୍କ ଶୋକ ପ୍ରସ୍ତାବ ପରେ ଗୃହ ଦିନକ ପାଇଁ ମୁଲତବୀ ରହିବ ବୋଲି ଜଣାପଡ଼ିଛି ।ଭୁବନେଶ୍ୱର : ପଞ୍ଚଦଶ ବିଧାନସଭାର ଦ୍ୱାଦଶ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ଦିବଂଗତଙ୍କ ଶୋକ ପ୍ରସ୍ତାବ ପରେ ଗୃହ ଦିନକ ପାଇଁ ମୁଲତବୀ ରହିବ ବୋଲି ଜଣାପଡ଼ିଛି । ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୩୧ଦିନିଆ ବଜେଟ୍ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହୋଇ ମେ’ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୧ରୁ ଆରମ୍ଭ ହେବ । ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ବିଧାନସଭାରେ ୨୩ତାରିଖରେ ଓ ଏକମାସର ଲେଖାନୁଦାନ ବଜେଟ୍ ପ୍ରସ୍ତାବ ୨୯ତାରିଖରେ ଉପସ୍ଥାପିତ ହେବ । ବଜେଟ୍ ଅଧିବେଶନର ପ୍ରଥମ ଦିନ ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ଡଃ ଏସ୍.ସି.ଜମିର ବିଧାନସଭାରେ ଅଭିଭାଷଣ ପ୍ରଦାନ କରିବେ । ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନା ଏଥିରେ ସ୍ଥାନ ପାଇବ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭାର ୫ଜଣ ପୂର୍ବତନ ସଦସ୍ୟ ଓ ୨ଜଣ ପୁଲିସ୍ କର୍ମଚାରୀଙ୍କ ନିମନ୍ତେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ । ଦିବଂଗତ ସଦସ୍ୟ ବେଣୁଧର ବଳିୟାରସିଂହ, ଫ୍ରିଡା ଟପ୍ନୋ, ଅଖିଳ ସୁଆନ୍ତୋ, କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ନିତ୍ୟାନନ୍ଦ ସାମନ୍ତରାୟଙ୍କ ବ୍ୟତୀତ ଶହୀଦ ହୋଇଥିବା ୨ଜଣ ପୁଲିସ୍ କର୍ମୀ ମନୋରଞ୍ଜନ ଲେଙ୍କା ଓ ପ୍ରଦୀପ ପଣ୍ଡାଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଉପରେ ଆଲୋଚନା ହେବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ଉକ୍ତ ଦିନ ଆଗତ ହେବା ପରେ ଗୃହ କାର୍ଯ୍ୟ ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ହେବାର କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ ୨୧ ଓ ୨୨ତାରିଖରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ଅଧିବେଶନ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ କହିଛନ୍ତି ଯେ ଏପ୍ରିଲ ୩୦ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ ହେବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ କାଳରେ ୪ଦିନ ସରକାରୀ କାର୍ଯ୍ୟ ଓ ୩ ଦିନ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ସମ୍ପାଦନ ପାଇଁ ଉଦ୍ଦିଷ୍ଟ ରହିଛି । ଏବେ ସୁଦ୍ଧା ଗୋଟିଏ ବିଲ୍ (ପୌର ଆଇନ ସଂଶୋଧନ ବିଲ-୨୦୧୮) ବିଧାନସଭାରେ ଉପସ୍ଥାପନ ହେବା ପାଇଁ ନୋଟିସ୍ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଅନ୍ୟ ବିଲ୍ ଆସିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନ ପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ ମାର୍ଚ୍ଚ ୧୪ତାରିଖରେ ହୋଇଥିବାବେଳେ ଆଜି ବିଜେଡି ଓ ବିଜେପି ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡ଼ାନ୍ତ ହୋଇଛି ।


