ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁଲାଇ ୧ ତାରିଖରୁ ଅଥତ ଆଜି ସାଧାରଣ ଜନତାଙ୍କ ଅଭିଯୋଗ ଣୁଣାଣି କରିବେ। ପ୍ରତି ସୋମବାର ଏଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ମାତ୍ରେ ଆରମ୍ଭରୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଅଭିଯୋଗ ଶୁଣାଣି ପୂର୍ବରୁ ପଞ୍ଜୀକରଣ ପାଇଁ ଲୋକଙ୍କ ଭିଡ଼ ଲାଗିରହିଛି ।
ସୂଚନା ମୁତାବକ ଜନତାଙ୍କ ଅଭିଯୋଗ ଶୁଣାଣି ପାଇଁ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ପଞ୍ଜୀକରଣ କରାଯିବ। ଆଗ୍ରହୀ ବ୍ୟକ୍ତିମାନେ ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକରଣ କରିପାରିବେ ଓ ପରେ ସେମାନଙ୍କ ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ। ସେହିପରି ଜିଲାପାଳମାନେ ମଧ୍ୟ ଜିଲାସ୍ତରରେ ପ୍ରତ୍ୟେକ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ କରିବାକୁ କୁହାଯାଇଛି। ଅଭିଯୋଗ ଶୁଣାଣି ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦେଶ ରହିଛି। ଅଭିଯୋଗ ଶୁଣାଣିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅଭିଯୋଗ ନେଇ ଆସୁଥିବା ଜନସାଧାରଣ କିପରି ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ଅଭିଯୋଗ କରିପାରିବେ; ସେଥିପାଇଁ ପଦକ୍ଷେପ ନିଆଯାଇଛି।


