ଶ୍ରୀନଗର(ଏଜେନ୍ସି):: ଶ୍ରୀନଗର: ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଆଜି ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ପକ୍ଷରୁ ସିଆରପିଏଫ୍ ଯବାନଙ୍କ କନଭୟକୁ ଟାର୍ଗେଟ କରି ହୋଇଥିବା ଏହି ଆତ୍ମଘାତୀ ହମଲାରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି।
ଏଥିସହ ଅନ୍ୟ ୪୦ରୁ ଅଧିକ ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଏବେ ବି ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଆଜି ଅପରାହ୍ଣ ପ୍ରାୟ ୩.୩୦ରେ ୭୮ଟି ଗାଡ଼ିରେ ୨୫ଶହରୁ ଅଧିକ ଯବାନ ଶ୍ରୀନଗରରୁ ଜମ୍ମୁ ଯାଉଥିଲେ। ଏମାନେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥର ଅବନ୍ତୀପୁରା ସ୍ଥିତ ଗୁଣ୍ଡିପୋରା ଅତିକ୍ରମ କରୁଥିବା ବେଳେ ଏକ ବିସ୍ଫୋରକ ଖଚିତ ସ୍କର୍ପିଓ କନଭୟର ଗୋଟିଏ ବସ୍କୁ ଧକ୍କା ଦେଇଥିଲା।
ଫଳରେ ବସ୍ଟି ଛିନଛତର ହୋଇଯାଇଥିଲା। ଏଥିରେ ୪୦ ଜଣ ଯବାନ ଥିଲେ। ସେହିପରି ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଏହା ପଛରେ ଆସୁଥିବା ଆଉ ଏକ ବସ୍ଟି ମଧ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା।
ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଏହି ଘଟଣାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହଲରେ କଡ଼ା ଭାଷାରେ ନିନ୍ଦା କରାଯାଇଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆକ୍ରମଣକୁ ନିନ୍ଦା କରି କହିଛନ୍ତି, ଆତଙ୍କ ବିରୋଧରେ ସାରା ଦେଶ ଏକାଠି ଅଛି।
କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଘଟଣାକୁ ନିନ୍ଦା କରାଯାଇଛି। ନେପାଳ ପ୍ରଧାନମନ୍ତ୍ରୀ କେମି ଶର୍ମା ଓଲି, ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍ ବିଶ୍ରମସିଙ୍ଘେ, ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବ୍ଦୁଲ୍ଲା ଶାହିଦ୍, ଭୂଟାନ ବୈଦେଶିକ ମନ୍ତ୍ରୀ ତାଣ୍ଡି ଦୋର୍ଜି, ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଠ୍ରଦୂତ ପ୍ରମୁଖ ଟ୍ୱିଟ୍ କରି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।


