ବ୍ୟୁନସ୍ ଆୟର୍ସ: ଚଳିତ ଏଫଆଇଏଚ୍ ପ୍ରୋ ହକି ଲିଗରେ ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନାକୁ ଧୂଳି ଛଟାଇଛି ଭାରତ। ଏଠାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ହକି ଟିମ୍ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୦ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ଆର୍ଜେଣ୍ଟିନାକୁ ଶୁଟଆଉଟରେ ୩-୨ ଗୋଲରେ ହରାଇଥିଲା। ତେବେ ଆଜି ମ୍ୟାଚରେ ଏକତରଫା ପ୍ରଦର୍ଶନ କରି ଆର୍ଜେଣ୍ଟିନାକୁ ସବୁ ବିଭାଗରେ ପଛରେ ପକାଇଛି। ଏହି ବିଜୟ ସହ ଭାରତ ଏଫଆଇଏଚ୍ ପ୍ରୋ ଲିଗ୍ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି।
ଭାରତ ପକ୍ଷରୁ ହରମନପ୍ରୀତ ସିଂହ (ଏକାଦଶ), ଲଲିତ ଉପାଧ୍ୟାୟ (୨୫ତମ) ଓ ମନଦୀପ ସିଂହ (୫୮ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଛନ୍ତି। ଭାରତର ଏବେ ୮ ମ୍ୟାଚରୁ ୧୫ ପଏଣ୍ଟ ହୋଇଯାଇଛି। ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଏଫଆଇଏଚ୍ ହକି ପ୍ରୋ ଲିଗ୍ ପଏଣ୍ଟ ଟେବୁଲରେ ଆର୍ଜେଣ୍ଟିନା ୧୨ ମ୍ୟାଚରୁ ୧୧ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି।


