ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଲାଗି ରହୁଥିବା ଆଳୁ ସଙ୍କଟର ସମାଧାନ ଲାଗି ଆନ୍ତର୍ଜାତୀୟ ଆଳୁ କେନ୍ଦ୍ର (ଆଇପିସି) ଆଗ୍ରହ ପ୍ରକାଶ କରିଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି ଓ ଖୁବଶୀଘ୍ର ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯିବ ବୋଲି ଆନ୍ତର୍ଜାତିକ ଆଳୁ କେନ୍ଦ୍ରର ଏସୀୟ ଆଞ୍ଚଳିକ ନିର୍ଦ୍ଦେଶକ ସମରେନ୍ଦ୍ରୁ ମହାନ୍ତି କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଳୁର ଉତ୍ପାଦନ ବୃଦ୍ଧି ଓ ଓଡ଼ିଶାକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ଏହି ସଂସ୍ଥା କାର୍ଯ୍ୟ କରିବାକୁ ଖୁବଶୀଘ୍ର ବିଧିବଦ୍ଧ ପ୍ରସ୍ତାବ ଦେବ । ଓଡ଼ିଶା ସରକାର ଭରସାଯୋଗ୍ୟ ସହଯୋଗୀ ବୋଲି ଆଇପିସି ଅନୁଭବ କରୁଛନ୍ତି । ବିଶେଷକରି ଆଇପିସି ଦ୍ୱାରା ବିକଶିତ କରାଯାଇଥିବା ‘କୁଫ୍ରିଲିପା’ ପ୍ରଜାତି ଆଳୁ ଓଡ଼ିଶାର ପାଣିପାଗ ପାଇ ଅଧିକ ସହାୟକ ହେବ । ରାଜ୍ୟରେ ପ୍ରତିବର୍ଷ ଆଳୁ ସଙ୍କଟ ଦେଖାଦେଇଛି । ଓଡ଼ିଶାରେ ବାର୍ଷିକ ୧୦ଲକ୍ଷ ମେଟ୍ରିକ ଟନ୍ ଆଳୁର ଆବଶ୍ୟକତା ଥିବାବେଳେ ଉତ୍ପାଦନ ୨ରୁ ଅଢ଼େଇ ଲକ୍ଷ ମେଟ୍ରିକ ଟନ୍ ହେଉଛି । ଯେଉଁଥିପାଇଁ ବଜାର ଉପରେ ସରକାର ନିୟନ୍ତ୍ରଣ ରଖିପାରୁନାହାନ୍ତି । ଏହାଛଡା ଚାଷୀମାନଙ୍କୁ ଉନ୍ନତମାନର ବିହନ ମିଳୁନଥିବାରୁ ସେମାନେ ଆଳୁ ଉତ୍ପାଦନରେ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେବେ ଓଡିଶା ଜଳବାୟୁରେ ସବୁ ସମୟରେ ଆଳୁ ଉତ୍ପାଦନ ହୋଇପାରିବ । ଜଣେ ଚାଷୀ ଆଳୁ ଚାଷ କଲେ ଧାନ ଚାଷଠାରୁ ବେଶ୍ ଲାଭବାନ୍ ହେବ । ଆବଶ୍ୟକ ଜ୍ଞାନକୌଶଳ ପ୍ରୟୋଗ କରିବା ଜରୁରୀ । ପେରୁର ରାଜଧାନୀ ଲିମା ନାମରେ ଏକ ସ୍ୱତନ୍ତ୍ର କିସମ ଆଳୁ ‘କୁଫ୍ରିଲିମା’ ବାହାର କରାଯାଇଛି । ଏହା ଓଡିଶା ଜଳବାୟୁ ପାଇଁ ବେଶ୍ ଅନୁକୂଳ । ଏହାକୁ ଚାଷ କଲେ ଚାଷୀ ହେକ୍ଟର ପିଛା ୨୫ ଟନ୍ ଉତ୍ପାଦନ କରିପାରିବ । ରାଜ୍ୟ ସରକାରଙ୍କ ଆଳୁ ମିଶନ ଜରିଆରେ ଏହି ବିହନ ଚାଷ ସହିତ ଆଳୁ ଉତ୍ପାଦନ ବୃଦ୍ଧି ଲାଗି ମୁଖ୍ୟ ସଚିବ ଓ କୃଷି ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି । ଖୁବ୍ଶୀଘ୍ର ଏ ବାବଦରେ ପ୍ରସ୍ତାବ ଦିଆଯିବ । ଆଇପିସି ଅନେକ ରାଜ୍ୟରେ ବିଭିନ୍ନ କିସମର ଆଳୁ ଉତ୍ପାଦନ ଲାଗି କାର୍ଯ୍ୟ କରୁଛି । ସମ୍ପ୍ରତି ହରିଆଣା ସରକାରଙ୍କ ସହ ଏମ୍ଓୟୁ ସ୍ୱାକ୍ଷର କରାଯାଇଥିବାବେଳେ ଆନ୍ଧ୍ର ସହ ଏମ୍ଓୟୁ ସ୍ୱାକ୍ଷର କରିବାକୁ ଯାଉଛନ୍ତି । କର୍ଣ୍ଣାଟକରେ ଆଇପିସିର ଏକ କେନ୍ଦ୍ର ରହିଛି । ପାଟ୍ନାରେ ଇରି ସହ ମିଶି ଆଇପିସି କାର୍ଯ୍ୟ କରୁଛି । ଓଡିଶାରେ ଆଳୁ ଉତ୍ପାଦନ କମିବାର ମୁଖ୍ୟ କାରଣ ହେଉଛି ଚାଷୀଙ୍କୁ ଭଲ ବିହନ ମିଳୁନାହିଁ । ଭୁଟାନ୍, ପଞ୍ଜାବ ଓ ପଶ୍ଚିମବଙ୍ଗରୁ ବିହନ ଆସୁଛି । ଗୁଣାତ୍ମକ ବିହନ ଓଡିଆ ଚାଷୀ ପାଉନାହାନ୍ତି । ତେବେ ଆଇପିସି ଭଲ ବିହନ ଦେବା ସାଙ୍ଗକୁ ବଜାର ଲିଙ୍କେଜ୍ ମଧ୍ୟ ଯୋଗାଇ ଦେବେ । ଏହାଛଡା ଦେଶୀ ପଦ୍ଧତିରେ କିଭଳି ଆଳୁ ସଂରକ୍ଷଣ ହୋଇପାରିବ, ସେ ଜ୍ଞାନକୌଶଳ ଆଇପିସି ପକ୍ଷରୁ ଚାଷୀଙ୍କୁ ପ୍ରଦାନ କରାଯାଉଛି । ଏହାଛଡା ଭ୍ୟାଲୁ ଚେନ୍ ଡେଭଲପ୍ମେଣ୍ଟ ବ୍ୟବସ୍ଥାକୁ ଆଇପିସି ଗ୍ରହଣ କରୁଛି ବୋଲି ଓଡିଶା ଗସ୍ତରେ ଆସିଥିବା ସମୟରେ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


