ଭୁବନେଶ୍ୱର(ଓଡ଼ିଶା ୱେୟାର):
ଆସନ୍ତା ୨୪ତାରିଖରୁ ଆଶାକର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ କରିବାର କାର୍ୟ୍ୟକ୍ରମ ଥିବାରୁ ତା’ ପୂର୍ବରୁ ସେମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ଏହି ଅର୍ଥକୁ ଆଶାକର୍ମୀମାନେ ନିଜ ହିସାବରେ ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଆଧାରରେ ଆଶାକର୍ମୀମାନଙ୍କୁ ଏହି ୧୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆଜି ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖି ଆଶାର୍କମୀମାନଙ୍କୁ ଏକକାଳୀନ ସହାୟତା ବାବଦରେ ୧୦ହଜାର ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଗ୍ରାମାଂଚଳ ଓ ସହରାଂଚଳ ବସ୍ତିରେ ସୁଚାରୂ ରୂପେ କୋଭିଡ୍ ପରିଚାଳନା ଓ ଅଣକୋଭିଡଜନିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଏହା ଆଶାର୍କମୀମାନଙ୍କୁ ପ୍ରୋତ୍ସାହିତ କରିବ।
ଏହି ସହାୟତା ଅର୍ଥରେ ଆଶାକର୍ମୀମାନେ ଚାହିଁଲେ ସାଇକେଲ, ଛତା, ଟର୍ଚ୍ଚ, ଚପଲ, ପାଣି ବୋତଲ, ବ୍ୟାଗ, ମାସ୍କ, ସାନିଟାଇଜର, ସାବୁନ, ଗ୍ଲୋବସ୍, ଫେସ୍ ଶିଲଡ୍ , ଥର୍ମାଲ ସ୍କାନର, ହେଲମେଟ, ମିନି ବ୍ୟାଟେରୀଚାଳିତ ମାଇକ୍ କିଣିବାକୁ ପରାମର୍ଶ ଦିଆଯାଇଛି।
ଆଶାକର୍ମୀମାନେ ଉପରୋକ୍ତ ସାମଗ୍ରୀ କ୍ରୟ କରିବେ ବୋଲି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଦସ୍ତଖତ କରି ଏହି ସହାୟତା ଅର୍ଥ ନେବେ। ଏହି ଅର୍ଥକୁ ତୁରନ୍ତ ଆଶାକର୍ମୀମାନଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ସହାୟତା ପାଣ୍ଠିରୁ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି, ଯାହାକୁ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ସହାୟତା ପାଣ୍ଠିରୁ ଭରଣା କରାଯିବ ବୋଲି ପରାମର୍ଶ ଦିଆଯାଇଛି।


