ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଜିଠୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଭାଗ କୋଭିଡ୍ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଆସନ୍ତାମାସ ୧୦ତାରିଖ ସୁଦ୍ଧା ଆଉ ୧ଲକ୍ଷ ୬୦ହଜାର ୪୭୩ଜଣଙ୍କୁ କୋଭିଡ୍ ଟୀକା ଦିଆଯିବ ବୋଲି ଜଣାପଡ଼ିଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦ୍ୱିତୀୟ ଭାଗ ଟୀକାକରଣ କେବଳ ରାଜଧାନୀ ଭୁବନେଶ୍ୱରରେ ହୋଇଥିଲା । ଭୁବନେଶ୍ୱରର ୧୧ଟି କେନ୍ଦ୍ରରେ ମୋଟ ୧୧୩୭ଜଣ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ଟୀକା ନେଇଛନ୍ତି । ରାଜ୍ୟର ମୋଟ ୩ଲକ୍ଷ ୩୮ହଜାର ୭୦୦ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରୁ ଆଜିସୁଦ୍ଧା ୧ଲକ୍ଷ ୭୮ହଜାର ୨୨୭ଜଣ ଟୀକା ନେଇସାରିଛନ୍ତି । ବାକି ୧ଲକ୍ଷ ୬୦ହଜାର ୪୭୩ଜଣଙ୍କୁ ଫେବୃୟାରୀ ୧୦ତାରିଖ ସୁଦ୍ଧା ଟୀକା ପ୍ରଦାନ କରାଯିବ । ଆସନ୍ତାକାଲିଠୁ ସମସ୍ତ ଜିଲ୍ଲାରେ ଏହି ଦ୍ୱିତୀୟ ଭାଗ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଟୀକାରୁ ବଂଚିତ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପର୍ଯ୍ୟାୟକ୍ରମେ ଡକାଯିବ । ଯେଉଁମାନେ ଖବର ପାଇବାପରେ ବି ଟୀକା ନନେବେ ସେମାନଙ୍କୁ ଆଉ ସରକାରଙ୍କ ମାଗଣା ଟୀକାକରଣ ଅଭିଯାନରେ ସାମିଲ କରାଯିବ ନାହିଁ । ଟୀକା ନେଇଥିବା କୌଣସି ବ୍ୟକ୍ତିଙ୍କ ଶରୀରରେ ଏବେସୁଦ୍ଧା କୌଣସି ପାଶ୍ୱର୍ ପ୍ରତିକ୍ରିୟାର ଖବର ଆସିନି ।


