ଭୁବନେଶ୍ୱର (ଓଡ଼ିଶା ୱେୟାର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତି ଉଷ୍ମ ହୋଇଛି। ଜଣେ ପରେ ଜଣେ କେନ୍ଦ୍ରୀୟ ହେଭିୱେଟ୍ ନେତା ଓଡ଼ିଶା ଗସ୍ତକରି ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି। ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ମଧ୍ୟ ସମାନ୍ତରାଳ ସଭା କରି ଦମ୍ ଦେଖାଉଛି। ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଶ୍ଚିମ ଓଡ଼ିଶା ଆସୁଥିବା ବେଳେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରୀ ପାରାଦୀପ ଓ କାମାକ୍ଷାନଗରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସକୁ ଚେକ୍ ଦେବା ପାଇଁ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ଆସନ୍ତାକାଲି ବିଜେଡିରେ ମିଶୁଛନ୍ତି।
ସେହିପରି ୯ ବର୍ଷ ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପଶ୍ଚିମ ଓଡ଼ିଶା ଆସୁଛନ୍ତି। ସେ ଭବାନୀପାଟଣା ଓ ରାଉରକେଲାରେ ଆୟୋଜିତ ଦୁଇଟି ସଭାରେ ଉଦବୋଧନ ଦେବେ। ଏଥିପାଇଁ କଂଗ୍ରେସ ପୋଷ୍ଟର ଓ ପତାକାରେ ଛାଇ ହୋଇ ଯାଇଛି ପୂରା ଅଞ୍ଚଳ। ଗତ ୧୨ଦିନ ଭିତରେ ରାହୁଲଙ୍କ ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ। ରାହୁଲଙ୍କ ଦୁଇ ଦୁଇ ଥର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପୁରା ଜୋସରେ ରହିଛି। ଏଥର ରାହୁଲଙ୍କ ଫୋକସରେ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଭୋଟ୍ ବ୍ୟାଙ୍କ ରହିଛି। ଆସନ୍ତାକାଲି ଭବାନୀପାଟଣାରେ ସାଧାରଣ ସଭାରେ ଯୋଗଦେବେ ରାହୁଲ। ସେଠୁ ସେ ରାଉରକେଲା ଯିବେ। ସେହିପରି ବିଜେପି ସଭାପତି ଅମିତ ଶାହ ଆସନ୍ତା ୧୫ ତାରିଖରେ ପୁଣି ସମ୍ବଲପୁର ଆସିବେ।


