ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଏପ୍ରିଲ୍ ୪ ତାରିଖରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍। କେବଳ ଭାରତ ଓ ପାକିସ୍ତାନ ନୁହଁନ୍ତି, ତୃତୀୟ ଦଳ ଭାବେ ବାଂଲାଦେଶ ମଧ୍ୟ ମ୍ୟାଚ୍ ଖେଳିବ। ଏହି ତିନି ଦଳକୁ ନେଇ ଏକ ଦୃଷ୍ଟିହୀନ ଟ୍ରାଇ-ସିରିଜ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟଟି ବାଂଲାଦେଶରେ ଆୟୋଜିତ ହେବ। ହୁଏତ ଏହା ଦୃଷ୍ଟିହୀନ କ୍ରିକେଟ୍, କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ମ୍ୟାଚର ରୋମାଞ୍ଚ ଭରପୂର ରହିଥାଏ।
ଏହି ଟ୍ରାଇ-ସିରିଜ୍ ଏପ୍ରିଲ୍ ୨ରୁ ୮ ତାରିଖ ପର୍ୟ୍ୟନ୍ତ ଚାଲିବ। ସିରିଜର ସବୁ ଯାକ ମ୍ୟାଚ୍ ଢାକାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ ଦୁଇଥର ପାକିସ୍ତାନକୁ ଭେଟିବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଏପ୍ରିଲ୍ ୨ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏପ୍ରିଲ୍ ୩ ତାରିଖରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ। ୪ ତାରିଖରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।


