ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ଆଜି କେନ୍ଦ୍ର ସରକାର ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଯାହା କଟକଣା ଚାହିଁବ ଲଗାଇ ପାରିବ ବୋଲି ଗାଇଡଲାଇନରେ କୁହାଯାଇଛି। ଏହାର ଅର୍ଥ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଲକଡାଉନ ଓ ଶଟଡାଉନ ଭଳି ପଦକ୍ଷେପ ନେଇପାରିବେ। ତେବେ ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ଓ ଶଟଡାଉନ ପାଇଁ ଜାରି କରିଥିବା ଗାଇଡଲାଇନକୁ ପାଳନ କରିବାକୁ ହେବ।
ସେହିପରି ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ଗାଇଡଲାଇନରେ କୁହାଯାଇଛି। ଯେଉଁ ସବୁ ରାଜ୍ୟରେ ଆରଟିପିସିଆର ଟେଷ୍ଟ କମ ରହିଛି, ତା’କୁ ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅତି କମରେ ୭୦% ଆରଟିପିସିଆର ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି। ଗାଇଡଲାଇନରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ଚଳାଚଳ ପୂର୍ବଭଳି ଜାରି ରହିବ। କରୋନା କଟକଣା ମାନି ସିନେଲା ହଲ, ମଲ ଓ ମାର୍କେଟ ଖୋଲି ପାରିବ।


