ଭୁବନେଶ୍ୱର : ରାଜ୍ୟରେ କୃଷି ଋଣ ଛାଡ଼ କରିବା ନିମନ୍ତେ ଏବେ କୌଣସି ଯୋଜନା ନାହିଁ ବୋଲି ରାଜ୍ୟ ସରକାର ଆଜି ରୋକଠୋକ୍ ଭାବେ କହିଛନ୍ତି ।
ଓଡ଼ିଶାରେ କୃଷକଙ୍କ ଆତ୍ମହତ୍ୟା ଓ ଦାରିଦ୍ର୍ୟ ଦୂର କରିବା ପାଇଁ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାରଙ୍କ ଭଳି ଓଡ଼ିଶା ସରକାର କୃଷି ଋଣଛାଡ଼ କରିବାକୁ ପଦକ୍ଷେପ ନେବେ କି ବୋଲି ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜ୍ୟ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ରାଜ୍ୟରୁ କୃଷି ଋଣ ଛାଡ଼ କରିବା ନିମନ୍ତେ ବର୍ତ୍ତମାନ କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ । ତେବେ ଚାଷୀଙ୍କ ବିଭିନ୍ନ ଦାବି ହାସଲ ନିମନ୍ତେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଉପରେ ବିଚାର କରିବାକୁ ରାଜ୍ୟ ସରକାର ସପ୍ତାହକ ପୂର୍ବରୁ ୩ମାସ ସମୟ ନେଇଥିବାବେଳେ ଆଜି କୃଷି ଋଣ ଛାଡ୍ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିବାରୁ ଏହାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ନବ ନିର୍ମାଣ କୃଷକ ସଂଗଠନର ସଂଯୋଜକ ଅକ୍ଷୟ କୁମାର ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି “ମନ୍ତ୍ରୀଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏହା ରାଜ୍ୟର ଚାଷୀଙ୍କ ପ୍ରତି ଧୋକା । କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରିବା ଆମର ପ୍ରମୁଖ ଦାବି ମଧ୍ୟରୁ ଗୋଟିଏ ଥିଲା । ରାଜ୍ୟ ସରକାର ସ୍ୱୀକାର କରୁନଥିଲେ ମଧ୍ୟ ଚାଷୀ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବା ପଛରେ ଋଣ ଏକ ପ୍ରମୁଖ ସମସ୍ୟା । ରାଜ୍ୟ ସରକାରଙ୍କ ଏଭଳି ଅହଙ୍କାରପୂର୍ଣ୍ଣ ଆଚରଣର ଯଥାର୍ଥ ଜବାବ ଚାଷୀ କୂଳ ଦେବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।”
ଅବଶ୍ୟ ବିଭିନ୍ନ ରାଜ୍ୟରେ କୃଷି ଋଣ ଛାଡ଼ କରାଯିବା ପରେ ଓଡ଼ିଶାରେ ଏହି ପ୍ରସଙ୍ଗ ଉପରେ ସରକାର ନିଶ୍ଚିତ ଭାବେ ବିଚାର କରିବେ ବୋଲି ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପ୍ରାଇସ୍,ପେନ୍ସନ୍ ଓ ପ୍ରେଷ୍ଟିଜ୍ ଦାବି ହାସଲ ପାଇଁ ଚାପ ପକାଉଥିବା ତଥା ରାଜ୍ୟ ସରକାରଙ୍କ ଆଶ୍ୱସନାରେ ଆନ୍ଦୋଳନକୁ ମେ’ ୫ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିବା ଚାଷୀ ସଂଗଠନ ନିମନ୍ତେ ଏହା ଶକ୍ତ ଧକ୍କା ସଦୃଶ ହୋଇଛି । ଅନ୍ୟପକ୍ଷରେ ସମବାୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ସମବାୟ ବ୍ୟାଙ୍କଠୁ ଫସଲ ଋଣ ନେଇଥିବା ରାଜ୍ୟର ପ୍ରାୟ ୩୫ଲକ୍ଷ ଚାଷୀଙ୍କ ଉପରେ ପାଖାପାଖି ୧୪ହଜାର କୋଟି ଟଙ୍କାର ଫସଲ ଋଣ ବକେୟା ରହିଛି । ଉଭୟ ବାଣିଜ୍ୟିକ, ସମବାୟ ଓ ଘରୋଇ ବ୍ୟାଙ୍କର କୃଷି ଋଣକୁ ଆକଳନ କଲେ ପ୍ରାୟ ୪୦ଲକ୍ଷ ଚାଷୀଙ୍କ ଉପରେ ୨୬ହଜାର କୋଟି ଟଙ୍କାର ଋଣ ବକେୟା ରହିଛି । ସୂଚନାଯୋଗ୍ୟ ୨୦୦୮ ମସିହାରେ ୟୁପିଏ ସରକାର ଦ୍ୱାରା ଋଣ ଛାଡ଼ ଘୋଷଣାବେଳେ ୨୬୧୫ କୋଟି ୨୩ଲକ୍ଷ ଟଙ୍କା କୃଷି ଋଣ ଛାଡ଼ ହୋଇଥିଲା । ଏହି ଋଣ ଛାଡ଼ ଯୋଗୁ ରାଜ୍ୟର ୧୯.୭୯ ଲକ୍ଷ ଚାଷୀ ଉପକୃତ ହୋଇଥିଲେ । ତେବେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ରିପୋର୍ଟ ଅନୁସାରେ ୨୦୧୭ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୫୪.୨୪ଲକ୍ଷ ଚାଷୀଙ୍କ ଉପରେ ମୋଟ ୨୬,୬୦୬ କୋଟି ୯୮ ଲକ୍ଷ ଟଙ୍କା ଋଣ ବାକି ରହିଛି ।


