ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଏସପିସ୍ତରରେ ଛୋଟଧରଣର ବଦଳି କରିଛନ୍ତି । ୪ଟି ଜିଲ୍ଲାରେ ନୂଆ ଏସ୍ପିଙ୍କୁ ନିଯୁକ୍ତି ଦେଇଥିବାବେଳେ ୪ଜଣ ଓପିଏସ୍ ଅଫିସରଙ୍କୁ ଏସପି ଇନଚାର୍ଜ ଭାବେ ଅବସ୍ଥାପିତ କରାଯାଇଛି ।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜଗତସିଂହପୁର ଜିଲ୍ଲା ଏସପି ଆଇପିଏସ୍ ଜୟନାରାୟଣ ପଙ୍କଜଙ୍କୁ କେନ୍ଦୁଝର ଜିଲ୍ଲା ଏସପି ଭାବେ ବଦଳି କରାଯାଇଛି । କେନ୍ଦୁଝର ଏସପି ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ଆଇପିଏସ୍ ନୀତି ଶେଖରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଏସ୍ପି ଏବଂ ଝାରସୁଗୁଡ଼ା ଏସପି ଆଇପିଏସ୍ ପ୍ରକାଶ.ଆର୍ଙ୍କୁ ଜଗତସିଂହପୁର ଜିଲ୍ଲା ଏସପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଗୁଇନ୍ଦା ବିଭାଗର ଅତିରିକ୍ତ ଏସପି ଓପିଏସ୍ ରବିନ୍ଦ୍ର କୁମାର ମହାପାତ୍ରଙ୍କୁ ରାଜ୍ୟ ଗୁଇନ୍ଦା ୱିଙ୍ଗ୍ର ଏସପି(ଇନଚାର୍ଜ), ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀର ଅତିରିକ୍ତ ଏସପି ଓପିଏସ୍ ଗଗନ ବିହାରୀ କରଙ୍କୁ ବରୀ ପୁଲିସ୍ ପ୍ରଶିକ୍ଷଣ ପ୍ରତିଷ୍ଠାନର ଏସପି(ଇନଚାର୍ଜ) , ଭିଜିଲାନ୍ସ ଏଆଇଜି ଭାବେ କାର୍ଯ୍ୟରତ ଓପିଏସ୍ ଅଶ୍ୱିନୀ କୁମାର ମହାନ୍ତିଙ୍କୁ ଝାରସୁଗୁଡ଼ା ଏସପି(ଇନଚାର୍ଜ) ଏବଂ ଖୋର୍ଦ୍ଧା ୬ଷ୍ଠ ବାଟାଲିୟନ୍ର ଡେପୁଟି କମାଣ୍ଡାଣ୍ଟ ସୁଧୀର କୁମାର ବେହେରାଙ୍କୁ କଟକସ୍ଥିତ ପିଏମଟି ଏସପି(ଇନଚାର୍ଜ) ଭାବେ ବଦଳି କରାଯାଇଛି ।


