ଭୁବନେଶ୍ୱର : ଘରୋଇ ଚ୍ୟାନେଲ ଓଟିଭିର ବିତର୍କ କାର୍ଯ୍ୟକ୍ରମକୁ ବିଜେଡି ବର୍ଜନ କରିବ । ଓଟିଭିର କୌଣସି ଆଲୋଚନା କାର୍ଯ୍ୟକ୍ରମରେ ବିଜେଡି ପ୍ରତିନିଧିମାନେ ଭାଗ ନେବେ ନାହିଁ । ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ଆଜି ଏହି ସୂଚନା ଦେଇଛନ୍ତି ।ଭୁବନେଶ୍ୱର : ଘରୋଇ ଚ୍ୟାନେଲ ଓଟିଭିର ବିତର୍କ କାର୍ଯ୍ୟକ୍ରମକୁ ବିଜେଡି ବର୍ଜନ କରିବ । ଓଟିଭିର କୌଣସି ଆଲୋଚନା କାର୍ଯ୍ୟକ୍ରମରେ ବିଜେଡି ପ୍ରତିନିଧିମାନେ ଭାଗ ନେବେ ନାହିଁ । ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ଆଜି ଏହି ସୂଚନା ଦେଇଛନ୍ତି । ରାଜ୍ୟ ବିଜେଡି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦେବ କହିଛନ୍ତି ଯେ, ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବିତ ହେବା ପରେ ଓଟିଭି ନ୍ୟୁଜ୍ ଚ୍ୟାନେଲର ଖବର ପରିବେଷଣ ଓ ବିତର୍କ କାର୍ଯ୍ୟକ୍ରମ ଏକତରଫା ହେଉଛି । ଓଟିଭି ତା’ର ନିରପେକ୍ଷତା ହରାଉଛି । ଓଟିଭି ତା’ର ନିରପେକ୍ଷତା ହରାଇସାରିଛି । ଚ୍ୟାନେଲରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍ ଓ ମତାମତ ଆଧାରିତ ହେଉଛି । ସେଶାଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ସାଧାରଣ ଲୋକମାନେ ଏବେ ଓଟିଭିର ଏଭଳି ଆଭିମୁଖ୍ୟକୁ ସମାଲୋଚନା କରୁଛନ୍ତି । କେବଳ ଜଣେ ସାଂସଦଙ୍କ ଟ୍ୱିଟ୍କୁ କାହିଁକି ଚ୍ୟାନେଲ ଏତେ ଗୁରୁତ୍ୱ ଦେଉଛି । ବହୁ ସାଂସଦ ଏବେ ସୋଶାଲ ମିଡିଆରେ ସକ୍ରିୟ ଅଛନ୍ତି । ଓଟିଭିର ଏଭଳି ଏକତରଫା ଓ ବିଜେଡି ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବାକୁ ନେଇ ଦଳର କର୍ମୀମାନେ ନିୟମିତ ଭାବେ ମୁଖପାତ୍ରମାନଙ୍କୁ ପ୍ରଶ୍ନ କରୁଛନ୍ତି ଓ ଓଟିଭି ବିତର୍କରେ ସାମିଲ ନହେବାକୁ ଅନୁରୋଧ ମଧ୍ୟ କରୁଛନ୍ତି । ତେବେ ବିଜେଡି ସ୍ପଷ୍ଟ କରି ଦେବାକୁ ଚାହୁଁଛି କି ସବୁ ପ୍ରକାରର ଗଣମାଧ୍ୟମ ପ୍ରତି ବିଜେଡିର ସମ୍ମାନ ଓ ବିଶ୍ୱାସ ରହିଛି । କିନ୍ତୁ ଏସବୁ ଏକତରଫା ଖବର ପ୍ରସାରଣକୁ ଦୃଷ୍ଟିରେ ରଖି ବିଜେଡି ଏଣିକି ଓଟିଭି ବିତର୍କ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଯଦି ଓଟିଭି ଭବିଷ୍ୟତରେ ତା’ର ନିରପେକ୍ଷତା ଫେରାଇ ଆଣେ ଓ ଏକତରଫା କାର୍ଯ୍ୟକ୍ରମ କରୁନଥିବା ଦଳ ଅନୁଭବ କରେ ପୁଣିଥରେ ଚ୍ୟାନେଲର କାର୍ଯ୍ୟକ୍ରମରେ ବିଜେଡି ପ୍ରତିନିଧିମାନେ ସାମିଲ ହେବେ ବୋଲି ଶ୍ରୀ ଦେବ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ସମ୍ପାଦକ ବିଜୟ ନାୟକ, ଦଳର ନେତା ସୁବାସ ସିଂ, ସସ୍ମିତ ପାତ୍ର, ସୁଲୋଚନା ଦାସ ଉପସ୍ଥିତ ଥିଲେ ।ଅନ୍ୟପକ୍ଷରେ ଓଟିଭି ପକ୍ଷରୁ ଜାରି ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ଓଟିଭି ସର୍ବଦା ନିରପେକ୍ଷ ଭାବେ ଖବର ପ୍ରସାରଣ କରି ଆସିଛି । ଖବରର ସବୁ ଦିଗକୁ ତର୍ଜମା କରିବା ସହ ସବୁ ପକ୍ଷକୁ ନଜର ଦିଆଯାଇଥାଏ । ଯେଉଁ ଖବର ଚ୍ୟାନେଲ ପରିବେଷଣ କରେ ବା ବିତର୍କ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ କରେ ସେଥିରେ ପକ୍ଷ ରଖିବା ପାଇଁ ଅଭିଯୁକ୍ତ ବା ପ୍ରତିପକ୍ଷଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥାଏ । ଏଥିରେ କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ, ସରକାର କି ବିରୋଧୀ କାହାର ସ୍ୱାର୍ଥ ନୁହେଁ, ବରଂ ଦର୍ଶକଙ୍କୁ ନିରପେକ୍ଷ ଖବର ଦେବାର ପ୍ରତିଶ୍ରୁତି ହିଁ ସର୍ବାଗ୍ରେ ରହିଥାଏ । ତେଣୁ ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା, ଅମୂଳକ ଓ ଗଣମାଧ୍ୟମର କଣ୍ଠରୋଧ ଲାଗି ଉଦ୍ୟମ ବୋଲି ପ୍ରମାଣିତ ହେଉଛି । ବିଜେଡି ରାଜ୍ୟ ଶାସନରେ ରହିଥିବାରୁ ଓଟିଭି ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ସମ୍ବାଦ ପରିବେଷଣରେ ଆବଶ୍ୟକତା ଅନୁଯାୟୀ ପ୍ରଶ୍ନ ଉଠାଇବା ସହ ବିରୋଧୀଙ୍କ ସମାଲୋଚନା ଓ ସରକାରଙ୍କ ପକ୍ଷକୁ ସ୍ଥାନିତ କରିଥାଏ । ତେଣୁ ବିଜେଡି ଏଭଳି ନିନ୍ଦିତି କରିବା ଅପଚେଷ୍ଟାରୁ କ୍ଷାନ୍ତ ରହି ଓଟିଭିର ନିରପେକ୍ଷ ପ୍ଲାଟଫର୍ମରେ ନିଜ ପକ୍ଷ ରଖିଲେ ଦର୍ଶକଙ୍କ ପାଖରେ ପ୍ରକୃତ ତଥ୍ୟ ପହଞ୍ôଚପାରିବ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ କହିଛନ୍ତି ।


