ଓଡ଼ିଶାର ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ ଘଟିଛି। ୮୮ ବର୍ଷ ବୟସରେ ନିଜ ପୈତୃକ ଘର ବୈଦରାଜ ସାହିରେ ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନରୁ ସେ ରୋଗାଗ୍ରସ୍ତ ଥିଲେ। ମାଗୁଣିଙ୍କ ପରଲୋକ ନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।
ସୁଚନା ଅନୁସାରେ, ଦୀର୍ଘ ଦିନରୁ ରୋଗାଗ୍ରସ୍ତ ଥିଲେ ମାଗୁଣି କୁଅଁର। ଏଥିପାଇଁ ବାରମ୍ବାର ତାଙ୍କୁ ମେଡିକାଲରେ ଭର୍ତ୍ତି ହେବାକୁ ପଡ଼ୁଥିଲା। କିଛି ଦିନ ତଳେ ଗୁରୁତର ଅବସ୍ଥାରେ ସେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସିତ ହେବା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ ମାଗୁଣି । ଏହାପରେ ପରିବାର ଲୋକ ତାଙ୍କୁ ଘରକୁ ନେଇଆସିଥିଲେ । ଆଜି ସେ ନିଜର ବାସଭବନରେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । କଣ୍ଢେଇ ନୃତ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି ମାଗୁଣି ଚରଣ କୁଅଁର । ନିଜର ଅକ୍ଲାନ୍ତ ନିଷ୍ଠା ଓ ପରିଶ୍ରମ ବଳରେ ସେ କଣ୍ଢେଇ ନୃତ୍ୟକୁ ବିଶ୍ଵ ଦରବାରରେ ପରିଚିତ କରାଇପାରିଥିଲେ। ଯେଉଁଥିଲାଗି ଗତବର୍ଷ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ।
କଣ୍ଢେଇ ନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମାଗୁଣି କୁଅଁର। ସେଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଗୁଣି କୁଅଁରଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ।ମାଗୁଣୀ କୁଅଁରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।


