ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରତିବର୍ଷ ବନ୍ୟା-ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଆସନ୍ତା ୫ବର୍ଷ ମଧ୍ୟରେ ମରୁଡ଼ି ମୁକାବିଲା ପାଇଁ ୧୦୦କୋଟି ଓ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ ନିମନ୍ତେ ୮୦୦କୋଟି ଟଙ୍କା ଅନୁଦାନ ମିଳିବ । ପଂଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ୨୦୨୧-୨୬ ମସିହା ମଧ୍ୟରେ ଏହି ଅନୁଦାନ ରାଶି ମିଳିବ ।
ସୂଚନା ଅନୁସାରେ ,ପ୍ରାୟତଃ ନିୟମିତ ଭାବେ ଓଡ଼ିଶାକୁ ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ଆଗୁଆ ବାତ୍ୟା ସୂଚନା ଦେଉଥିବା ବ୍ୟବସ୍ଥା ଓ ଉପକରଣ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନ ନିମନ୍ତେ ପଂଚଦଶ ଅର୍ଥ କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । ଯାହାକୁ କମିଶନ ସ୍ୱୀକାର କରିବା ସହ ୮୦୦କୋଟି ଟଙ୍କା ଓଡ଼ିଶାକୁ ଦେବା ନିମନ୍ତେ ସୁପାରିସ୍ ମଧ୍ୟ କରିଛନ୍ତି ।
ସେହିପରି ଓଡ଼ିଶାରେ ଏପର୍ଯ୍ୟନ୍ତ ମାତ୍ର ୨୮.୯ ପ୍ରତିଶତ ଜଳସେଚନ ସୁବିଧା ହୋଇଥିବାରୁ ରାଜ୍ୟକୁ ଅଧିକାଂଶ ସମୟରେ ମରୁଡ଼ିର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ମରୁଡ଼ି ମୁକାବିଲା ନିମନ୍ତେ ଦୀର୍ଘକାଳୀନ ଯୋଜନା କରିବା ପାଇଁ ପଂଚଦଶ ଅର୍ଥ କମିଶନ ପରାମର୍ଶ ଦେଇଛନ୍ତି । ଏଥିରେ ଅଂଚଳଭିତ୍ତିକ ଚାଷ ବ୍ୟବସ୍ଥାରେ, ଭୂତଳ ଜଳ ଓ ନଦୀ ଜଳର ସୁପରିଚାଳନା, ଜଳର ସଦୁପଯୋଗ, କୃଷିଭିତ୍ତିକ ବନୀକରଣ ଯୋଜନା ଓ ସୌର ଶକ୍ତି ସ୍ଥାପନ ଭଳି କାର୍ଯ୍ୟକ୍ରମଗୁଡ଼ିକୁ ସାମିଲ କରି ମରୁଡ଼ି ପ୍ରଭାବିତ ଜିଲ୍ଲାମାନେ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ କମିଶନ ସୁପାରିସ୍ କରିଛନ୍ତି । ଏଥିପାଇଁ କମିଶନ ଓଡ଼ିଶା ସମେତ ୧୨ଟି ରାଜ୍ୟକୁ ୧୦୦କୋଟି ଟଙ୍କା ଲେଖାଏଁ (ମୋଟ ୧୨୦୦କୋଟି) ଆବଣ୍ଟନ କରିବାକୁ ସୁପାରିସ୍ କରିଛନ୍ତି । ଏହି ଅନୁଦାନକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ମାଧ୍ୟମରେ ଦେବାକୁ ପରାମର୍ଶ ଦିଆଯାଇଛି ।
ଏସବୁ ବ୍ୟତୀତ ରାଜ୍ୟ ସରକାରଙ୍କ ଅନୁରୋଧରେ ପଂଚଦଶ ଅର୍ଥ କମିଶନ ହୀରାକୁଦ ଜଳଭଣ୍ଡାରର ବିକାଶ, ମହାନଦୀରରେ ଏକ ବୃହତ୍ ସେତୁ, ଜଳଭଣ୍ଡାର ନିକଟରେ ଏୟାରଷ୍ଟ୍ରିପର ବିକାଶ ଆଦି ନିମନ୍ତେ ୨୦୦କୋଟି ଟଙ୍କା ଅନୁଦାନ ଦେବାକୁ କେନ୍ଦ୍ର ସରକାରଙ୍କୁ କମିଶନ ସୁପାରିସ୍ କରିଛନ୍ତି ।
ସେହିପରି ସମ୍ବଲପୁର ସହରର ଜଳ ନିଷ୍କାସନ ବ୍ୟବସ୍ଥା ନିମନ୍ତେ ୧୫୦କୋଟି ଟଙ୍କା ଏବଂ ନବରଙ୍ଗପୁର ଜିଳ୍ଲାର କେନ୍ଦୁଗୁଡ଼ାଠାରେ ଇନ୍ଦ୍ରାବତୀ ନଦୀରେ ଏକ ସେତୁ ନିର୍ମାଣ ପାଇଁ ୧୫୦କୋଟି ଟଙ୍କା ଯେଗାଇବାକୁ କମିଶନ ଗ୍ରହଣ କରି ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା ।


