ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଜି ଘୋଷଣା କରିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲର ଷଷ୍ଠ ସଂସ୍କରଣକୁ ଉଦ୍ଘାଟନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ସାଧାରଣ ନିର୍ବାଚନରେ ସିଏ ଓଡ଼ିଶାରୁ ଲଢ଼ିବେ । କିନ୍ତୁ ଲୋକସଭା ନା ବିଧାନସଭାରୁ ପ୍ରାର୍ଥୀ ତାହା ଦଳ ନିଷ୍ପତି ନେବ । ଏବେ ବିହାରରୁ ରାଜ୍ୟସଭା ସାଂସଦ ଥିବା ଶ୍ରୀ ପ୍ରଧାନ ୨୦୦୦ ମସିହାରେ ପାଲଲହଡ଼ା ବିଧାନସଭା ଏବଂ ୨୦୦୪ ମସିହାରେ ଦେବଗଡ଼ ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତା ପାଇଁ ପ୍ରଥମ ଲଢ଼େଇ ଓଡ଼ିଶାରେ ଲଢ଼ାଯାଇଥିଲା । ତେବେ ଇଂରେଜ ମାନଙ୍କ ବିରୋଧରେ ଏହି ପାଇକ ବିଦ୍ରୋହର ଉପଯୁକ୍ତ ପ୍ରଚାର ୍ରପ୍ରସାର ଅଭାବରୁ ଏହା ଇତିହାସରେ ସ୍ଥାନ ପାଇପାରିନଥିଲା । ୧୮୫୭ରେ ସିପାହୀ ବିଦ୍ରୋହ ପୂର୍ବରୁ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏଙ୍କ ଭଳି ଓଡ଼ିଆ ବୀରମାନେ ଇଂରେଜ ଶାସନ ବିରୋଧରେ ଲଢ଼େଇ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ଲୋକମାନେ ଏବେ ଶାସନରେ ପରିବର୍ତନ ଚାହୁଁଚନ୍ତି । ଏହାକୁ କେହି ରୋକିପାରିବେ ନାହିଁ । ବର୍ତମାନର ଦୁର୍ନୀତିଗ୍ରସ୍ତ ଓ ଅପାରଗ ବିଜେଡି ସରକାରକୁ ମୂଳପୋଛ କରିବାକୁ ଲୋକେ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଯୁବ ବର୍ଗଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ବିଫଳ ହୋଇଛନ୍ତି ।


