ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ରାଜ୍ୟର ୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
ସୁଦର୍ଶନ ସାହୁଙ୍କୁ କଳା ପାଇଁ ପଦ୍ମବିଭୂଷଣ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଥିବାବେଳେ ଅନ୍ୟ ୫ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ।
ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ଅନୁସାରେ ମୋଟ ୧୧୯ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମବିଭୂଷଣ(୭ଜଣ), ପଦ୍ମଭୂଷଣ(୧୦ଜଣ) ଓ ପଦ୍ମଶ୍ରୀ ପୁରସ୍କାର (୧୧୨ଜଣ) ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି ।
ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବାକୁ ଓଡ଼ିଶାର ମୋଟ ୬ଜଣ ବଇଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି । ସୁଦର୍ଶନ ସାହୁ(କଳା) ପାଇଁ ପଦ୍ମବିଭୂଷଣ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଶାନ୍ତି ଦେବୀ(ସମାଜସେବା), କଳା ପାଇଁ ପୂର୍ଣ୍ଣମାସୀ ଜାନି(କଳା), ନନ୍ଦ ପୃଷ୍ଟି (ସାହିତ୍ୟ ଓ ଶିକ୍ଷା), ରଥଯାତ୍ରା ଉଦଘୋଷକ ତଥା ସଂସ୍କୃତି ବିଶେଷଜ୍ଞ ରଜତ କୁମାର କର(ସାହିତ୍ୟ ଓ ଶିକ୍ଷା) ଏବଂ ଡାକ୍ତର କୃଷମୋହନ ପାଠୀ(ମେଡିସିନ) ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ ।
ସୂଚନାଯୋଗ୍ୟ, ୧୯୩୪ ଏପ୍ରିଲ ୧୮ତାରିଖରେ ଜନ୍ମିତ ଶାନ୍ତି ଦେବୀ ‘ସେବା ସମାଜ’ ନାଁରେ ଏକ ସଂସ୍ଥା ଗଠନ କରିବା ସହ ଗୁଣୁପୁରରେ ଏକ ଆଶ୍ରମ କରି ସେଠାରେ ଅନାଥ ଶିଶୁଙ୍କୁ ରହିବା ଓ ଶିକ୍ଷା ଯୋଗାଇ ଆସୁଛନ୍ତି । ପୂର୍ବରୁ ସେ କୋରାପୁଟରେ ଏକ ଛୋଟିଆ ଆଶ୍ରମ କରିଥିଲେ ।


