ଭୁବନେଶ୍ୱର : ରାଜ୍ୟରେ ମେଡିକାଲ କଲେଜ କରାଇ ନଦେବା ପାଇଁ କିଛି ରାଜନୀତିକ ବ୍ୟକ୍ତିମାନେ ଷଡ଼ଯନ୍ତ୍ର କରୁଛନ୍ତି । ଉପଯୁକ୍ତ ସମୟରେ ଏକଥା ଫର୍ଦ୍ଦାଫାସ୍ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଆଜି ବିଧାନସଭାରେ ପ୍ରଶ୍ନକାଳରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବାବେଳେ ଶ୍ରୀ ଜେନା ଓଡ଼ିଶାରେ ଅଧିକ ସଂଖ୍ୟକ ମେଡିକାଲ କଲେଜ ଯେଭଳି ସ୍ଥାପନ ହୋଇନପାରିବ ସେଥିପାଇଁ କିଛି ରାଜନୀତିକ ବ୍ୟକ୍ତିମାନେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣିଥିଲେ । ମନ୍ତ୍ରୀ ଶ୍ରୀ ଜେନା କୌଣସି ଦଳ କିମ୍ବା ନେତାଙ୍କ ନାଁ ଉଲ୍ଲେଖ କରିନଥିଲେ ମଧ୍ୟ ତାଙ୍କର ଇସାରା ବିଜେପି ଆଡ଼କୁ ଥିବା ଜଣାପଡ଼ିଛି । ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟରେ ମେଡିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାର ଅନେକ ଘୋଷଣା କରିଛନ୍ତି । କିନ୍ତୁ କେନ୍ଦ୍ରଠାରୁ ଆନୁପାତିକ ସାହାଯ୍ୟ ଓଡ଼ିଶା ପାଉନାହିଁ । କିଛି ରାଜନୀତିକ ବ୍ୟକ୍ତି ଓଡ଼ିଶାରେ ମେଡିକାଲ କଲେଜ ସ୍ଥାପନରେ ପ୍ରତିବନ୍ଧକ ସାଜିଛନ୍ତି । ସେମାନେ ଫାଉଲ୍ ଗେମ୍ ଚଳାଇଛନ୍ତି । ସେମାନଙ୍କର ଅସଲ ଚେହେରାକୁ ଠିକ୍ ସମୟରେ ପର୍ଦ୍ଦାଫାସ୍ କରାଯିବ । ସେ ବାରିପଦା ମେଡିକାଲ କଲେଜର ଉଦାହରଣ ଦେଇ କହିଥିଲେ ଯେ, ଏମ୍ସିଆଇର ସ୍ୱୀକୃତି ମିଳିବାରେ ଷଡ଼ଯନ୍ତ୍ର କରାଯାଇଥିଲା । ରାଜ୍ୟ ସରକାର ଏନେଇ ସୁପ୍ରିମକୋର୍ଟ ଯିବା ପରେ ଏହି ଅନୁମତି ମିଳିଥିଲା । ତେଣୁ ଓଡ଼ିଶାରେ ଅଧିକ ମେଡିକାଲ କଲେଜ ନହେବ ତା’ ପାଇଁ ଷଡ଼ଯନ୍ତ୍ର ହେଉଛି ବୋଲି ଖୋଲାଖୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ମଧ୍ୟ ଗୃହରେ ଉପସ୍ଥିତ ଥିବା ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର କୌଣସି ସଦସ୍ୟ ଏହାକୁ ବିରୋଧ କରିନଥିଲେ ।


