ଭୁବନେଶ୍ୱର : ଅଠର ବର୍ଷ ମଧ୍ୟରେ ଓଡ଼ିଶାର ଅବକାରୀ ରାଜସ୍ୱ ପ୍ରାୟ ୨୪ ଗୁଣ ବଢ଼ିଥିବା ବେଳେ ଚଳିତ ବର୍ଷ ଏହାକୁ ୨୮ ଗୁଣ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରହିଛି । ରାଜ୍ୟରେ ଅବକାରୀ ରାଜସ୍ୱ ଆଦାୟ ସଂକ୍ରାନ୍ତରେ ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା ଦେଇଥିବା ବିସ୍ତୃତ ବିବରଣୀ ବିଶ୍ଳେଷଣରୁ ଏହା ଜଣାପଡ଼ିଛି । ଅବକାରୀ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୦୦-୦୧ ଆର୍ôଥକ ବର୍ଷରେ ଓଡ଼ିଶାରେ ଅବକାରୀ ରାଜସ୍ୱ ଆଦାୟ ପରିମାଣ ୧୩୫ କୋଟି ୩୫ ଲକ୍ଷ ଟଙ୍କା ଥିବା ବେଳେ ଏହା ବଢ଼ି ବଢ଼ି ୨୦୧୬-୧୭ରେ ୨୭୮୬ କୋଟି ୨୩ ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ୨୦୧୭-୧୮ ଆର୍ôଥକ ବର୍ଷରେ ୩୬୦୦ କୋଟି ଟଙ୍କା ପରିମାଣର ଅବକାରୀ ରାଜସ୍ୱ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଉକ୍ତ ବର୍ଷରେ ଆପାତତଃ ୩୨୨୧ କୋଟି ୩ ଲକ୍ଷ ଟଙ୍କା ଅବକାରୀ ରାଜସ୍ୱ ଆଦାୟ ହୋଇଛି । ୨୦୧୮-୧୯ ଆର୍ôଥକ ବର୍ଷରେ ୩୮୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ପାଇଁ ଧାର୍ଯ୍ୟ ଅଟକଳ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ଦର୍ଶାଇଛନ୍ତି ।
ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ରାଜ୍ୟରେ ୨୦୧୭-୧୮ ଆର୍ôଥକ ବର୍ଷରେ ୪୩୦୩ ମଞ୍ଜୁରୀପ୍ରାପ୍ତ ଅବକାରୀ ଦୋକାନ ରହିଥିଲା । ଏଥିରୁ ୧୧୫୭ଟି ଠିପି ବନ୍ଦ ଓ ୫୩୧ଟି ଠିପିଖୋଲା ବିଦେଶୀ ମଦ ଦୋକାନ ଥିବା ବେଳେ ୧୦୧ଟି ଠିପିଖୋଲା ବିଅର୍ ପାର୍ଲର, ୧୮ଟି ଠିପି ଖୋଲା କ୍ଲବ୍, ୩୬ଟି ମିଲିଟାରୀ କ୍ୟାଣ୍ଟିନ୍, ୨୪୨ଟି ଦେଶୀ ମଦ ଦୋକାନ, ୫୫୧ଟି ବାହାର ଭାଟି ମଦ ଦୋକାନ ଓ ତାହାର ୧୪୪୭ଟି ଶାଖା ଅନ୍ତର୍ଭୁକ୍ତ । ଏହାଛଡ଼ା ରାଜ୍ୟରେ ୧୨୬ଟି ଭାଙ୍ଗ, ୮୫ଟି ତାଡ଼ି ଓ ୯ଟି ପଚୱାଇ ମଦ ଦୋକାନ ଥିବା ମନ୍ତ୍ରୀ ପ୍ରଦତ୍ତ ତାଲିକାରେ ଉଲ୍ଲେଖ କରାଯାଇଛି । ମନ୍ତ୍ରୀ ଶ୍ରୀ ବେହେରା ପୁଣି କହିଛନ୍ତି ଯେ ଏହି ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକ ମାଧ୍ୟମରେ ଗତ ଆର୍ôଥକ ବର୍ଷରେ ୪୬୧.୯୯ ଲକ୍ଷ ଲଣ୍ଡନ ପ୍ରୁଫ୍ ଲିଟର୍ ବିଦେଶୀ ମଦ, ୭୦୮.୭୬ ଲକ୍ଷ ଲିଟର ବିୟର୍, ୧୦୪.୫୧ ଲକ୍ଷ ଲିଟର୍ ଦେଶୀ ମଦ ଖାଉଟିଙ୍କୁ ଯୋଗଯାଇଛି । ତେବେ ୫୫୧ଟି ବାହାର ଭାଟି ମଦ ଦୋକାନ ଓ ତାହାର ୧୪୪୭ଟି ଶାଖା ମାଧ୍ୟମରେ କେତେ ମଦ ଖାଉଟିଙ୍କୁ ଯୋଗାଯାଇଛି ସେ ସଂକ୍ରାନ୍ତରେ ମନ୍ତ୍ରୀଙ୍କ ଉତ୍ତରରେ କିଛି ଉଲ୍ଲେଖ କରାଯାଇନାହିଁ । ତେବେ ୨୦୦୫-୦୬ ତୁଳନାରେ ୨୦୧୬-୧୭ ବେଳକୁ ରାଜ୍ୟରେ ବିଭିନ୍ନ କିସମର ମଦ ଦୋକାନ ସଂଖ୍ୟା ଢେର୍ ବଢ଼ିଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନରୁ ଜଣାଯାଇଛି ।


