ଭୁବନେଶ୍ୱର : ଭାରତୀୟ ସାଂସ୍କୃତିକ କଳା ପରିଷଦ (ଆଇସିସିଆର୍) ଓଡ଼ିଶା ଶାଖା କାର୍ଯ୍ୟାଳୟକୁ ଅନ୍ୟ ରାଜ୍ୟକୁ ଉଠାଇ ନେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । ପରିଷଦର ମୂଳ ଉଦ୍ଦେଶ୍ୟ ହେଉଛି ‘ସାଂସ୍କୃତିକ ଭାବ ବିନିମୟ’ ଓ ଯେପରି ଭାବେ ଏହା ଲକ୍ଷ୍ୟଭ୍ରଷ୍ଟ ହୋଇଛି ତଥା ଏହି କାର୍ଯ୍ୟାଳୟକୁ କୋଲକାତାକୁ ଉଠାଇ ନେବା ପାଇଁ ପରିଷଦର ବୈଠକରେ ନିଷ୍ପତ୍ତି ନିଆଯାଇଛି ତାହା ନିଶ୍ଚିତ ଭାବେ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଓଡ଼ିଶାର ବିଜେଡି ଓ ଏହାର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ଦଳ କହିଛି ।
ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜ୍ରେ କହିଛନ୍ତି ଯେ, ଓଡ଼ିଶାକୁ ଆଇସିସିଆର କାର୍ଯ୍ୟାଳୟ ଉଠାଇ ନେବାପାଇଁ ହୋଇଥିବା ନିଷ୍ପତ୍ତି କ’ଣ ଆମ ରାଜ୍ୟର କେନ୍ଦ୍ରୀୟ ବିଜେପି ନେତା ଓ ମନ୍ତ୍ରୀମାନଙ୍କୁ ଦିଶୁନାହିଁ? ସେମାନେ କାହିଁକି ଏ ପ୍ରସଂଗରେ ମୁହଁ ଖୋଲୁନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଛନ୍ତି । ଆଇସିସିଆର୍ କାର୍ଯ୍ୟାଳୟ ଓଡ଼ିଶାରୁ ଉଠିଗଲେ ଅଧିକ କ୍ଷତିଗ୍ରସ୍ତ ହେବେ ଗରିବ ଓ ଆର୍ôଥକ ଦୁର୍ବଳ ଶ୍ରେଣୀର କଳାକାର । ସେମାନେ କୋଲ୍କାତା ଯାଇ ସେମାନଙ୍କ ଦାବି ଉପସ୍ଥାପନା କରିବା ସମ୍ଭବ ନୁହେଁ । ଅପରପକ୍ଷେ ଓଡ଼ିଶାରୁ ଉକ୍ତ କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ଏହା ଜଳ ଜଳ ହୋଇ ଦିଶୁଛି ଯେ କେବଳ ଧନୀକ ଶ୍ରେଣୀ ଓ ମୁନାଫାଖୋର ବ୍ୟକ୍ତି ଏଥିରୁ ଫାଇଦା ଉଠାଇବେ । ଓଡ଼ିଶାର ଆର୍ôଥକ ଦୁର୍ବଳ ଶ୍ରେଣୀର କଳାକାରମାନେ ଲାଭବାନ ହେବା ତ ଦୂରର କଥା, କ୍ଷତିକୁ ଦୂରେଇ ରଖିବା ଲାଗି ଆପତ୍ତି ଜଣାଇବାକୁ ଅର୍ଥ ଅଭାବରୁ କୋଲକାତା ଯିବା ମଧ୍ୟ କାଠିକର ପାଠ ହେବ । ଓଡ଼ିଆ ଲୋକକଳା ପ୍ରଚାର ଓ ପ୍ରସାର ଲାଗି ଖୋଲିଥିବା ଏହି କାର୍ଯ୍ୟାଳୟ ଉଠାଇ ନେବା ନିଷ୍ପତ୍ତି ଦର୍ଶାଉଛି ଯେ କେନ୍ଦ୍ର ସରକାର ଆମ କଳାକାରମାନଙ୍କୁ ହତାଦର କରୁଛନ୍ତି । ଓଡ଼ିଶାର କଳାକାରମାନଙ୍କ ପ୍ରତି ଏହା ହେଉଛି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ । ମାତ୍ର ୩ବର୍ଷ ପୂର୍ବରୁ ୨୦୧୫ରେ ଆଇସିସିଆର୍ ଶାଖା କାର୍ଯ୍ୟାଳୟ ପଳାସପଲ୍ଲୀର ଏକ ନୂଆ ଘରେ ଖୋଲିଥିବା ବେଳେ କେନ୍ଦ୍ରର ନିଷ୍ପତ୍ତି ଏ ରାଜ୍ୟର ସବୁ କଳାକାରମାନଙ୍କୁ ଚାପୁଡ଼ା ମାରିବା ସହ ସମାନ । ଏହାଦ୍ୱାରା ଓଡ଼ିଶାର ସାଂସ୍କୃତିକ ଭାବ ବିନିମୟରେ ବି କେନ୍ଦ୍ର ବାଧକ ସାଜିଛି ବୋଲି ଶ୍ରୀ ନାୟକ କହିଛନ୍ତି ।


