ଭୁବନେଶ୍ୱର : ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଗହମ ଓ ଡାଲି ଜାତୀୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର ସରକାର ବୃଦ୍ଧି କରିଥିବାବେଳେ ଓଡ଼ିଶାର ଦାବି ପ୍ରତି ଉଦ୍ଦେଶ୍ୟମୂଳକ ଭାବେ ଅଣଦେଖା କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଓଡ଼ିଶା ବିଧାନସଭାର ସର୍ବସମ୍ମତି ପ୍ରସ୍ତାବ ଗୃହୀତ କରାଯାଇ ରାଜ୍ୟର ଚାଷୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅଣଦେଖା କରି ଚାଲିଛନ୍ତି । ଏଥିରୁ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କର ଓଡ଼ିଶା ପ୍ରତି ଥିବା ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ଶ୍ରୀ ନାୟକ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ କ୍ୟାବିନେଟ୍ ସବ୍କମିଟି ବୈଠକରେ ଗହମ ଓ ଡାଲି ଜାତୀୟ ଶସ୍ୟର ସର୍ବନିମ୍ନ ମୂଲ୍ୟ ଯଥାକ୍ରମେ ୧୧୦ ଟଙ୍କା ଓ ୨୦୦ ଟଙ୍କା ବୃଦ୍ଧିକୁ ଅନୁମୋଦନ ମିଳୁଛି । କିନ୍ତୁ ଓଡ଼ିଶାର ଚାଷୀଙ୍କ ଦାବି ପ୍ରତି ତାତ୍ସଲ୍ୟ କରାଯାଉଛି । ଓଡ଼ିଶା ଜନସଂଖ୍ୟାର ୬୦ ଭାଗରୁ ଊଦ୍ଧ୍ୱର୍ କୃଷକ ଓ କୃଷିଜୀବୀ । ଯଦି ରାଜ୍ୟର କୃଷକମାନେ ନିଜ ଉତ୍ପାଦର ଲାଭଜନକ ମୂଲ୍ୟ ନପାଇବେ, ତେବେ ସମସ୍ତ ପ୍ରଗତି ସତ୍ତେ୍ୱ ସେମାନେ ବ୍ୟକ୍ତିଗତ ଦୁର୍ଗତିର ଶିକାର ହେବେ ଓ କୃଷି କ୍ଷେତ୍ର ବିପର୍ଯ୍ୟସ୍ତ ହେବ, ଯାହାକି ରାଜ୍ୟ ଅର୍ଥନୀତିକୁ ସାମଗ୍ରିକ ଭାବେ ପ୍ରଭାବିତ କରିବ । କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରିଆସୁଛନ୍ତି । ଓଡ଼ିଶା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସବୁ ଦଳର ସଭ୍ୟଙ୍କୁ ନେଇ ଗଠିତ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି କୃଷକମାନଙ୍କର ସ୍ୱାର୍ଥ ଓ ବାସ୍ତବ ସ୍ଥିତି ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଦାବି ଉପସ୍ଥାପନ କରିଥାନ୍ତେ । କିନ୍ତୁ ପରିତାପର ବିଷୟ ଓଡ଼ିଶା ବିଧାନସଭା ଗୃହ କମିଟିର ଅନୁରୋଧ ଶୁଣିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ସମୟ ନାହିଁ । ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ସତ୍ତେ୍ୱ ଓଡ଼ିଶା ଦାବିକୁ ଅଣଦେଖା କରାଯାଉଛି । ଏହା ଓଡ଼ିଶାର ଚାଷୀକୂଳ ପ୍ରତି ଚରମ ଉପେକ୍ଷା । ଏଥିଯୋଗୁ ଆଗାମୀ ଦିନରେ କେନ୍ଦ୍ର ସରକାର ବିରୁଦ୍ଧରେ ଦୁର୍ବାର ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଶ୍ରୀ ନାୟକ କହିଛନ୍ତି ।


