ଭୁବନେଶ୍ୱର : ସ୍କୁଲ ପିଲାଙ୍କ ସହ ଶିଶୁ ଦିବସରେ ଭାବ ବିନିମୟ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ କଲେଜ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କ ସହ ମନଖୋଲା କଥା ହେବା ସହ ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ ବୋଲି ଜଣାପଡ଼ିଛି । କଲେଜ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏହି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଚଳିତମାସ ୯ତାରିଖରେ ଅନୁଷ୍ଠିତ ହେବ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୯ଟି ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ଏଥିପାଇଁ ଯେଉଁ ସବୁ କଲେଜକୁ ଚିହ୍ନଟ କରାଯାଇଛି ସେଗୁଡ଼ିକ ହେଲା ନବରଙ୍ଗପୁର କଲେଜ, ସମ୍ବଲପୁର କୁଚିଣ୍ଡା କଲେଜ, ସୁନ୍ଦରଗଡ଼ର ବଣାଇଗଡ଼ କଲେଜ, ମୟୂରଭଞ୍ଜର ରାଇରଙ୍ଗପୁର କଲେଜ, କେନ୍ଦୁଝରର ଚନ୍ଦ୍ରଶେଖର କଲେଜ ଓ ଆନନ୍ଦପୁର କଲେଜ, କନ୍ଧମାଳର ଆଦିବାସୀ କଲେଜ, ରାୟଗଡ଼ା ସ୍ୱୟଂଶାସିତ କଲେଜ ଓ ଗୁଣୁପୁର କଲେଜ, ମାଲକାନଗିରି କଲେଜ ଓ ବାଲେଶ୍ୱରର ନୀଳଗିରି କଲେଜ ସାମିଲ ରହିଛି ।


