ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟରେ ଗତ କିଛି ମାସ ଧରି ସଡ଼କ ଦୁର୍ଘଟଣା ହାର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । କେବଳ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ୨୭.୫ ପ୍ରତିଶତ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧି ପାଇଛି । ଯାହାକୁ ନେଇ ରାଜ୍ୟ ସରକାର ଉଦବେଗ ବ୍ୟକ୍ତ କରିବା ସହ ଆଜି ଜିଲ୍ଲାପାଳମାନଙ୍କୁ ରିପୋର୍ଟ ତଲବ କରିଛନ୍ତି । କେଉଁ କାରଣ ଯୋଗୁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା ବଢ଼ୁଛି ଓ ଏହା ହ୍ରାସ ପାଇଁ କ’ଣ ସହାୟତା ଆବଶ୍ୟକ ସେ ସମ୍ପର୍କରେ ୧୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସଡ଼କ ଓ ପରିବହନ ସଚିବ ମଧୁସୂଦନ ପାଢ଼ୀ ସମସ୍ତ ଜିଲ୍ଲାପାଳ, ପୁଲିସ ଏସପି, ଟ୍ରାଫିକ ପୁଲିସ, ଆରଟିଓ ଅଧିକାରୀମାନଙ୍କୁ ଆଜି ଚିଠି ଲେଖି ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ବୃଦ୍ଧି ପାଉଥିବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ମୃତ୍ୟୁ ହାର ୫୦ ପ୍ରତିଶତ ହ୍ରାସ ପାଇଁ ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ମୃତ୍ୟୁ ହାର ବଢ଼ିଚାଲିଛି । ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୦୧୪ ମସିହାରେ ୩୯୩୧ ଥିବାବେଳେ ୨୦୧୯ରେ ଏହା ୫୩୩୩କୁ ବୃଦ୍ଧି ପାଇଛି । ୨୦୧୪ ମସିହା ତୁଳନାରେ ୨୦୨୦ ମସିହା ସୁଦ୍ଧା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ୫୦ ପ୍ରତିଶତ ହ୍ରାସ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟରେ ଏହି ହାର ୨୦୧୯ରେ ୩୬ ପ୍ରତିଶତ ବୃଦ୍ଧି ପାଇଛି । ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାରରେ ଓଡ଼ିଶା ୨୦୧୪ ମସିହାରେ ଦେଶରେ ୧୬ତମ ସ୍ଥାନରେ ଥିବାବେଳେ ୨୦୧୯ରେ ୧୬ତମ ସ୍ଥାନରେ ରହିଛି ।
କ୍ରାଇମବ୍ରାଂଚର ତଥ୍ୟ ଅନୁସାରେ ରାଜ୍ୟରେ ୨୦୨୦ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁହାର ଗତବର୍ଷ ଏହି ଅବଧି ତୁଳନାରେ ୨୭.୫ ପ୍ରତିଶତ ବୃଦ୍ଧି ପାଇଛି । କେବଳ ୯ଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ମୃତ୍ୟୁହାର ବୃଦ୍ଧି ପାଇଛି । ବୌଦ୍ଧ, ମାଲକାନଗିରି, କୋରାପୁଟ, କନ୍ଧମାଳ ଜିଲ୍ଲାରେ ୧୦୦ ପ୍ରତିଶତ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ବୃଦ୍ଧି ପାଇଥିବାବେଳେ କଟକ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ମୃତ୍ୟୁହାର ୫୦ ପ୍ରତିଶତ ଅଧିକ ହୋଇଛି । ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ଦିଗରେ ଏନଫୋର୍ସମେଣ୍ଟ ୱିଙ୍ଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ଅଧିକାଂଶ ଜିଲ୍ଲାରେ ଏନଫୋର୍ସମେଣ୍ଟ କଡ଼ାକଡ଼ି ହେଉନଥିବା ଜଣାପଡ଼ିଛି । ଏନଫୋର୍ସମେଣ୍ଟକୁ କଡ଼ାକଡ଼ି ଓ ତ୍ୱରାନ୍ୱିତ କରି ଲୋକଙ୍କ ଜୀବନ ବଂଚାଇବା ନିମନ୍ତେ ଇଣ୍ଟରସେପ୍ଟର ଗାଡ଼ି, ବ୍ରେଥ ଆନାଲାଇଜର, ବାରିକେଡ୍ ଓ ଅନ୍ୟାନ୍ୟ ଉପକରଣ କ୍ରୟରେ ରାଜ୍ୟ ସରକାର ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଛନ୍ତି । ଠିକା କର୍ମଚାରୀ ମଧ୍ୟ ନିଯୁକ୍ତି ଦେଇଛନ୍ତି । ତେଣୁ ଯାହା ଜଣାପଡ଼ୁଛି ଏହି ଉପକରଣଗୁଡ଼ିକ ଠିକ ଭାବେ ଉପଯୋଗ ହେଉନି ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।
ସୁପ୍ରିମକୋର୍ଟ କମିଟି ଗତ କିଛି ଦିନ ତଳେ ମୁଖ୍ୟ ସଚିବଙ୍କ ଉପସ୍ଥିତିରେ କରିଥିବା ସମୀକ୍ଷା ବୈଠକରେ ମୃତ୍ୟୁହାର ବୃଦ୍ଧିକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ସଡ଼କ ଦୁର୍ଘଟଣା ଉଲ୍ଲେଖନୀୟ ହ୍ରାସ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେଣୁ ଓଭର ସ୍ପ୍ରିଡ୍ , ମଦପିଇ ଗାଡ଼ି ଚଳାଇବା, ହେଲମେଟ୍ ଆଇନ ଓ ଗାଡ଼ି ଚଳାଇବାବେଳେ ମୋବାଇଲ ଫୋନ ଉପଯୋଗ କରି ନିୟମ ଭାଙ୍ଗୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଶୀତ ଋତୁରେ ରାସ୍ତା କଡ଼ରେ ଗାଡ଼ି ଛିଡ଼ା ହେବାଯୋଗୁ ମଧ୍ୟ ଦୁର୍ଘଟଣା ବଢ଼ୁଛି । ତେଣୁ ହେଲମେଟ୍ ଆଇନ ଉଲ୍ଲଘଂନକାରୀଙ୍କ ଡିଏଲକୁ ନିରସ୍ତ୍ର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ଜିଲ୍ଲାସ୍ତରରେ ଏନଫୋସମେଣ୍ଟର ପ୍ରଦର୍ଶନକୁ ଦୈନିକ ଭିତ୍ତିରେ କରାଯିବ ବୋଲି ଶ୍ରୀ ପାଢ଼ୀ ଜିଲ୍ଲାପାଳମାନଙ୍କୁ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମୋଟ ୬୮୪ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ୨୦୨୦ ଏହି ଅବଧିରେ ତାହା ବୃଦ୍ଧି ପାଇ ୮୭୨ରେ ପହଂଚିଛି । ଗତ ଦୁଇମାସରେ ସର୍ବାଧିକ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ୧୬୬ ଓ ୧୬୪ ପ୍ରତିଶତ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧି ପାଇଥିବାବେଳେ କନ୍ଧମାଳରେ ୧୪୨.୮୬ ପ୍ରତିଶତ, ନୂଆପଡ଼ାରେ ୧୦୦ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଏହି ଅବଧି ମଧ୍ୟରେ ସବୁଠୁ କମ୍ ଦୁର୍ଘଟଣାଜନିତ ମୃତ୍ୟୁ ପୁରୀ ଜିଲ୍ଲାରେ ହୋଇଛି ।


