ଭୁବନେଶ୍ୱର(ଓଡ଼ିଶା ୱେୟାର): ଗତ ପ୍ରାୟ ୭ଦିନ ଧରି ଦେଶର ପ୍ରମୁଖ ସଂରକ୍ଷିତ ଜୈବମଣ୍ଡଳ ଶିମିଳିପାଳରେ ନିଆଁ ଲାଗି ଶହଶହ ଏକର ଜଳିବା ଘଟଣାକୁ ନେଇ କେନ୍ଦ୍ର ସରକାର ଉଦବେଗ ବ୍ୟକ୍ତ କରିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା କରିଥିବାବେଳେ ସେଠାରେ ନିଆଁ ନିୟନ୍ତ୍ରଣାଧୀନ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଶିମିଳିପାଳ ଅଗ୍ନିକାଣ୍ଡଜନିତ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ପ୍ରତିଷେଧକମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶିମିଳିପାଳ କେବଳ ଓଡ଼ିଶା ବା ଭାରତର ନୁହେଁ ଏହା ସମଗ୍ର ବିଶ୍ୱର ଏକ ଅମୂଲ୍ୟ ସମ୍ପଦ । ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଛନ୍ତି । ତେବେ ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ରହିଛି ଓ ଏଥିରେ କୌଣସି ଜୀବନ ହାନି ଘଟିନାହିଁ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସଓପି ଜାରି କରାଯାଇଛି ଓ ବଡ଼ବଡ଼ ଗଛଗୁଡ଼ିକର କିଛି କ୍ଷତି ହୋଇନାର୍ହି । ଅଗ୍ନିକାଣ୍ଡ ସମ୍ପର୍କରେ ପ୍ରତି ସନ୍ଧ୍ୟାରେ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ନିମନ୍ତେ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପିସିସିଏଫ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ଶ୍ରୀମତୀ ଶର୍ମା କହିଛନ୍ତି ।
ଅନ୍ୟପକ୍ଷରେ, ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣାକୁ ନେଇ ଉଦବେଗ ବ୍ୟକ୍ତ କରି ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ମୟୂରଭଞ୍ଜ ରାଜକୁମାରୀ ଅକ୍ଷତା ଭଞ୍ଜଦେଓ ମଧ୍ୟ ଟ୍ୱିଟ୍ ମାଧ୍ୟମରେ ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବା ଦିଗରେ ପ୍ରଶାସନିକସ୍ତରରେ ଅବହେଳାକୁ ନେଇ କ୍ଷୋଭ ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଏକ ସପ୍ତାହ ମଧ୍ୟରେ ଶିମିଳିପାଳରୁ ୫୦କିଲୋ ହାତୀ ଦାନ୍ତ ଜବତ ହୋଇଛି । ଜଙ୍ଗଲ ମଧ୍ୟରେ ବେଆଇନ ଖନନ ଓ କାଠମାଫିଆ ସକ୍ରିୟ ରହିଥିବାବେଳେ ଜାତୀୟ ଗଣମାଧ୍ୟମ ଏହି ଖବରକୁ ସମ୍ପୂର୍ଣ୍ଣ ବ୍ଲାକଆଉଟ କରିଛି ବୋଲି କହି କ୍ଷୋଭ ବ୍ୟକ୍ତ କରିଥିଲେ ।
ଅବଶ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଟ୍ୱିଟ୍ ପରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଶ୍ରୀ ଜାଭେଦକର ତୁରନ୍ତ ନିଆଁ ଲିଭାଇବାକୁ ପଦକ୍ଷେପ ନେବାକୁ ମନ୍ତ୍ରଣାଳୟର ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଚନ୍ତି ଯେ, କେଉଁ ପରିସ୍ଥିତିରେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଲା ତା’ର ତଦନ୍ତ କରି ଗୁରୁବାର ସୁଦ୍ଧା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ ପିସିସିଏଫ(ବନ୍ୟଜନ୍ତୁ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ବେତନଟୀ, ରାସଗୋବିନ୍ଦପୁର ଓ ମୋରଡ଼ା ଫରେଷ୍ଟ ରେଞ୍ଜକୁ ବ୍ୟାପି ସାରିଲାଣି । ଏବେ ସେଠାରେ ନିଆଁ ଲିଭାଇବା ପାଇଁ ୨୫୦ଜଣ ଫରେଷ୍ଟ ଗାର୍ଡଙ୍କ ସମେତ ପ୍ରାୟ ଏକ ହଜାର ଲୋକ ନିୟୋଜିତ ଅଛନ୍ତି । ଶିମିଳିପାଳ ଜଙ୍ଗଲ ୨୭୫୦ବର୍ଗ କିମି ଅଂଚଳରେ ପରିବ୍ୟାପ୍ତ ।


