ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ସୁବିଧାଯୁକ୍ତ କରିବା ପାଇଁ ଆବଶ୍ୟକ ବୁଝାମଣା ପତ୍ର ସ୍ୱାକ୍ଷର ପ୍ରକ୍ରିୟାକୁ ତ୍ୱରାନ୍ୱିତ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚିଠି ଲେଖି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହରର ଲୋକଙ୍କ ଆବଶ୍ୟକତା ପାଇଁ ଏହି ଭୁବନେଶ୍ୱର ଷ୍ଟେସନକୁ ଆଧୁନିକ ଓ ବିଶ୍ୱସ୍ତରୀୟ ରେଳ ଷ୍ଟେସନ୍ ଭାବେ ବିକଶିତ କରିବା ନିମନ୍ତେ ଆବଶ୍ୟକ ଖର୍ଚ୍ଚ ବହନ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ଏଥିନିମନ୍ତେ ରେଳବାଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ପାଇଁ ଉଭୟଙ୍କୁ ସୁହାଇବା ଭଳି ଏକ ତାରିଖ ସ୍ଥିର କରିବାକୁ କହିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ କରିବା ପାଇଁ ୨୦୧୮ ଜାନୁଆରୀ ୨୦ ତାରିଖରେ ବୁଝାମଣା ପତ୍ର ସ୍ୱାକ୍ଷର ନିମନ୍ତେ ସ୍ଥିରୀକୃତ ହୋଇଥିଲା । କିନ୍ତୁ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇପାରିନଥିଲା । ରଜ୍ୟ ସରକାର ଏହି ପ୍ରକଳ୍ପକୁ ଗୋଟିଏ ପର୍ଯ୍ୟାୟରେ ସାରିବା ପାଇଁ ପ୍ରସ୍ତାବ ଦେବା ସହ ସେହି ଆଧାରରେ ସଂଶୋଧିତ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ପଦକ୍ଷେପ ନେଉଛନ୍ତି । ରେଳବାଇ ମନ୍ତ୍ରଣାଳୟ ମଧ୍ୟ ଏନେଇ ଆବଶ୍ୟକ ପ୍ରକ୍ରିୟା ତ୍ୱରାନ୍ୱିତ କରୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି ।


