ଭୁବନେଶ୍ୱର(ଓଡ଼ିଶା ୱେୟାର): କରୋନା କେସ୍ ପୁଣିଥରେ ବଢ଼ିବାର ଆଶଙ୍କା କରି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ପୁଲିସ ଏସପି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ନିକଟ ଅତୀତରେ କୋଭିଡ-୧୯ ମାମଲା କେତେକ ରାଜ୍ୟରେ ବଢ଼ିବାରେ ଲାଗିଛି । ବିଶେଷକରି ମହାରାଷ୍ଟ୍ରରେ ଏହି ମାମଲା ବଢ଼ିଛି । ଦେଶ ଭିତରେ ଲୋକମାନଙ୍କ ଚଳପ୍ରଚଳ ରହିଥିବାରୁ ଯଦି ପ୍ରତୀକାତ୍ମକ ମୂଳକ ପଦକ୍ଷେପ ନିଆନଯିବ ତା’ହେଲେ ଓଡ଼ିଶାରେ କୋଭିଡ୍ ସ୍ଥିତି ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ ନିଜ ଜିଲ୍ଲା ଓ ସହରରେ ଯେଭଳି କୋଭିଡ୍ ମାମଲା ବୃଦ୍ଧି ପାଇବ ତାହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଗାଇଡଲାଇନ ଅନୁସାରେ ପର୍ଯ୍ୟାପ୍ତ ପରିମାଣର ଟେଷ୍ଟିଂ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନ, ଧର୍ମାନୁଷ୍ଠାନ, ବଜାର ଆଦି ସ୍ଥାନଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ କୋଭିଡ୍ ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏସବୁ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ନିମନ୍ତେ ଶ୍ରୀ ମହାପାତ୍ର ଚିଠି ଲେଖି ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମାମଲା ହ୍ରାସ ପାଉଥିଲେ ମଧ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସ୍ଥିତିରେ ଅବନତି ଦେଖାଯାଉଥିବାରୁ ଓଡ଼ିଶାରେ କୋଭିଡ୍ ମାମଲା ପୁଣିଥରେ ବଢ଼ିପାରେ ବୋଲି ସରକାର ଆଶଙ୍କା କରୁଛନ୍ତି ।


