ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପବନରେ ସଂକ୍ରମଣ କରୁଥିବା ରିପୋର୍ଟ ମିଳିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ପବନରେ ବ୍ୟାପିବା ଯୋଗୁ ସଂକ୍ରମଣ ମାତ୍ରା ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଏଥିରୁ ବର୍ତ୍ତିବା ପାଇଁ ସଂକ୍ରମଣ ରୋଗର ବିଶେଷଜ୍ଞ ଡା ଫହୀମ ୟୁନିସ୍ ଉପାୟ କହିଛନ୍ତି।
ସେ କହିଛନ୍ତି, କରୋନା ଭାଇରସର ପବନରେ ବ୍ୟାପୁଥିବା ରିପୋର୍ଟ ଆସିଛି। ଏଥିରୁ ବର୍ତ୍ତିବା ପାଇଁ ହେଲେ ଆମକୁ କପଡ଼ା ମାସ୍କକୁ ଛାଡ଼ିବାକୁ ପଡ଼ିବ। ଆମେ ଚେଷ୍ଟା କରିବା ଓ ଏହାକୁ ପରିତ୍ୟାଗ କରିବା। ଏୟାରବର୍ଣ୍ଣ ପାଥୋଜେନ୍ରୁ ବର୍ତ୍ତିବା ପାଇଁ ଆମକୁ ଦୁଇଟି ଏନ୯୫ କିମ୍ବା କେଏନ୍୯୫ ମାସ୍କ କିଣିବାକୁ ପଡ଼ିବ।
ଆପଣ ପ୍ରଥମେ ଗୋଟିଏ ମାସ୍କକୁ ବ୍ୟବହାର କରିବେ ଓ ଏହାର ପରଦିନ ଆଉ ଗୋଟିଏକୁ ବ୍ୟବହାର କରିବେ। ବ୍ୟବହାର କରିବା ପରେ ଏହାକୁ ଗୋଟିଏ ପେପର ବ୍ୟାଗରେ ରଖି ଦିଅନ୍ତୁ। ପରଦିନ ପୁଣି ଏହାକୁ ଆପଣ ବ୍ୟବହାର କରିପାରିବେ। ଏପରି ଭାବେ ଅଦଳ ବଦଳ କରି ଦୁଇଟି ମାସ୍କକୁ ଆପଣ ଏକାଧିକ ସପ୍ତାହ ବେଶ ଆରାମରେ ପିନ୍ଧିପାରିବେ। ହଁ ଏହି ଭିତରେ ସେଗୁଡ଼ିକ ଯେମିତି ନଷ୍ଟ ନ ହେବ, ସେଥପ୍ରତି ଧ୍ୟାନ ଦେବେ ବୋଲି ସେ କହିଛନ୍ତି।


