ଭୁବନେଶ୍ୱର : କୋରାପୁଟରେ ଓଡ଼ିଶା ମ୍ୟାଲେରିଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଛି। ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ମ୍ୟାଲେରିଆରେ ୨୦୧୬-୧୭ ମସିହାରେ ପ୍ରାୟ ୪ ଲକ୍ଷ ୪୯ ହଜାର ୬୯୭ ଜଣ ଆକ୍ରାନ୍ତ ହୋଇଥିଲେ। ସେଥିରୁ ୭୭ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୭-୧୮ ମସିହାରେ ୩ ଲକ୍ଷ ୫୨ ହଜାର ୧୪୦ ଜଣଙ୍କୁ ଆକ୍ରାନ୍ତ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ ଜୁଲାଇ ପରଠାରୁ ଆଜିପର୍ଯ୍ୟନ୍ତ ମ୍ୟାଲେରିଆରେ କାହାରି ମୃତ୍ୟୁ ଘଟିନାହିଁ। କୌଣସି ଜଣେ ବି ଲୋକର ମୃତ୍ୟୁ ଘଟିନାହିଁ। ଏଥିରୁ ସ୍ପଷ୍ଟ ହେଉଛି ମ୍ୟାଲେରିଆକୁ ଆୟତ୍ତ କରିବାରେ ରାଜ୍ୟ ସରକାର ସତପ୍ରତିଶତ ସଫଳ ହୋଇଛନ୍ତି।“ମ୍ୟାଲେରିଆକୁ ରୋକିବା ପାଇଁ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଔଷଧ ସିଞ୍ଚନ କରାଯିବା ସହିତ ଔଷଧୀୟ ମଶାରି ବଣ୍ଟନ କରାଯାଉଛି। ବିଦ୍ୟାଳୟରେ ପିଲାମାନଙ୍କ ଭିତରେ ସଚେତନତା ସୃଷ୍ଟି ମଧ୍ୟ କରାଯାଉଛି। ଆବଶ୍ୟକ ସ୍ଥଳେ ଅଧିକାରୀମାନେ ମ୍ୟାଲେରିଆ ପ୍ରବଣ ଅଞ୍ଚଳକୁ ଗସ୍ତ କରି ମଶାରି କେମିତି ବ୍ୟବହାର କରାଯିବ, ସେନେଇ ପରାମର୍ଶ ଦିଆଯାଉଛି। ଯାହାଫଳରେ ବର୍ତ୍ତମାନ ମ୍ୟାଲେରିଆକୁ ବହୁ ମାତ୍ରାରେ ରୋକା ଯାଇପରିଛି। ରାଜ୍ୟ ସରକାରଙ୍କ ଏହି ଫର୍ମୁଲାକୁ ୱାଲ୍ଡ ହେଲ୍ଥ ଅର୍ଗାନାଇଜେସନ୍ ଓ ଭାରତ ସରକାର ବହୁ ପ୍ରଶଂସା କରିଛନ୍ତି। ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଥିବା ବ୍ୟବସ୍ଥାକୁ ଅନ୍ୟ ରାଜ୍ୟରେ ମଧ୍ୟ ପ୍ରୟୋଗ କରାଯାଇଛି।


