ଭୁବନେଶ୍ୱର: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ୧୦ ହଜାରରୁ କମ୍ ଟଙ୍କା ଜମାକାରୀଙ୍କ ପାଇଁ ଖୁସି ଖବର। ଟଙ୍କା ମିଳିବ। ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଜଷ୍ଟିସ୍ ଏମ୍.ଏମ୍ ଦାସ କମିଶନ ରାଜ୍ୟ ସରକାରଙ୍କୁ ଦେଇଥିବା ଅନ୍ତରୀଣ ରିପୋର୍ଟ ୧ ଓ ୨ ଅନୁସାରେ ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ ପ୍ରଥମେ ଟଙ୍କା ମିଳିବ।ଜିଲ୍ଲାସ୍ତରରେ ଭେରିଫିକେସନ୍ ଟିମ୍ ଚିହ୍ନଟ କରିଥିବା କ୍ଷୁଦ୍ର ଜମାକାରୀ ନିକଟସ୍ଥ ତହସିଲାଦାରଙ୍କ ପାଖରେ ଇଣ୍ଡେନଣ୍ଡିଟି ବଣ୍ଡ ଦେବେ ଓ ତାକୁ ତହସିଲଦାର ଜିଲ୍ଲାପାଳମାନଙ୍କ ନିକଟରେ ଦାଖଲ କରିବେ। ଏ ନେଇ ଅର୍ଥ ସଚିବ ଜିଲ୍ଲାପାଳମାନଙ୍କୁ ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ କରିବାକୁ ଚିଠି ଉଲ୍ଲେଖ ରହିଛି। ବାଲେଶ୍ୱର ଜିଲ୍ଲାରେ ୧୨ଟି ବ୍ଲକରେ ୨୩୦୬ ଜଣ ଜମାକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ନେଇ ଚିହ୍ନଟ ହୋଇଛି। ଏନେଇ ତହସିଲଦାରଙ୍କୁ ଅର୍ଥ ବିଭାଗ ପକ୍ଷରୁ ୫୭ ଲକ୍ଷରୁ ଅଧିକ ଟଙ୍କା ଦେଇଛି। ରାଜ୍ୟ ସରକାର ୨୦୧୩ରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୩ ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ ମଧ୍ୟ ଟଙ୍କା ବାଣ୍ଟି ପାରିନଥିଲେ। ଯାହାକୁ ନେଇ ସରକାରଙ୍କୁ ଜମାକାରୀ ଓ ବିରୋଧୀଙ୍କ ସମାଲୋନାର ଶିକାର ହେବାକୁ ପଡ଼ିଥିଲା। ଆଉ ଏବେ ୫ ବର୍ଷ ପରେ କାହିଁକି ଟଙ୍କା ଫେରସ୍ତ ପାଇଁ ମନେପଡ଼ିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଜମାକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପ୍ରକ୍ରିୟା କି? ଅନ୍ୟପଟେ କେବଳ ରୋଜଭ୍ୟାଲିକୁ ଛାଡ଼ି ଅନ୍ୟ ପ୍ରାୟ ୧୬ଟି ଚିଟ୍ଫଣ୍ଡ କଂପାନୀର ଜମାକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନି। ତେଣୁ ସମସ୍ତ କ୍ଷୁଦ୍ର ଜମାକାରୀଙ୍କୁ କେବେ ଟଙ୍କା ମିଳିବ ତାକୁ ନେଇ ଆଶାଆଶଙ୍କା ଦେଖାଦେଇଛି।


