ଭୁବନେଶ୍ୱର : ୟୁପିର ବାରଣାସୀ ସହରର କ୍ୟାଣ୍ଟନ୍ମେଣ୍ଟରେ ନିର୍ମାଣାଧୀନ ଫ୍ଲାଏଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ପ୍ରତିକ୍ରିୟା ଦେଇ ବିଜେଡି ପ୍ୟାନେଲିଷ୍ଟ୍ ତଥା ଓଡ଼ିଶା ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ାଙ୍କୁ ହଟହଟ୍ଟା ହେବାକୁ ପଡ଼ିଛି ।
ଦଳ ପକ୍ଷରୁ ଜାରି ଏକ ପ୍ରେସ୍ ରିଲିଜ୍ରେ ବିଜେଡି ସମ୍ପାଦକ ବିଜୟ ନାୟକ କହିଛନ୍ତି ଯେ, ବାରଣାସୀରେ ନିର୍ମାଣାଧୀନ ଫ୍ଲାଏଓଭର୍ ଭୁଶୁଡ଼ିବା ଘଟଣାରେ ଦଳର ପ୍ୟାନେଲିଷ୍ଟ ଶ୍ରୀ ପରିଡ଼ା ଯେଉଁ ମତ ଓ ମନ୍ତବ୍ୟ ରଖିଛନ୍ତି ତାହା ତାଙ୍କର ନିଜସ୍ୱ । ଏହା ବିଜେଡିର ମତ ନୁହେଁ । ବିଜେଡି କେବେବି କୌଣସି ଦୁର୍ଘଟଣାକୁ ନେଇ ରାଜନୀତି କରେନାହିଁ । ବିଜେଡି ସକରାତ୍ମକ ବିକାଶ ଅଭିମୁଖୀ ରାଜନୀତିରେ ବିଶ୍ୱାସ କରେ । ଏଭଳି ଦୁର୍ଘଟଣାକୁ ନେଇ ରାଜନୀତି କରାଯିବା ମଧ୍ୟ ଆଦୌ ସ୍ପୃହଣୀୟ ନୁହେଁ । ଦୁର୍ଘଟଣାରେ ମୃତ ଶ୍ରମିକ ଓ ସାଧାରଣ ଲୋକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ବିଜେଡି ଗଭୀର ସମବେଦନା ଜଣାଉଛି । ବିଜେପି ବାରଣାସୀ ଘଟଣାରୁ ଶିକ୍ଷା ଲାଭ କରିବା ଉଚିତ୍ ଓ ଭବିଷ୍ୟତରେ କିଭଳି ଧନଜୀବନ ହାନି ହେବ ନାହିଁ ସେନେଇ ସମସ୍ତେ ତତ୍ପର ହେବା ଦରକାର । ଶ୍ରୀ ପରିଡ଼ା ଏହି ପ୍ରସଙ୍ଗରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କ ନିଜସ୍ୱ ଓ ଏହା ଦଳର ମତ ନୁହେଁ ବୋଲି ବିଜେଡି ସମ୍ପାଦକ ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି ।


