ଭୁବନେଶ୍ୱର: ମହାନଦୀକୁ ବଞ୍ଚାଇବା ପାଇଁ ବିଜେଡି ପକ୍ଷରୁ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ମହାସଂଗ୍ରାମ ଆରମ୍ଭ ହେବ । ମହାନଦୀକୁ ନେଇ କେନ୍ଦ୍ର ଓ ଛତିଶଗଡ଼ ସରକାରର ମନମୁଖୀ କାରବାର ସମ୍ପର୍କରେ ଗାଁ ଗାଁରେ ଲୋକଙ୍କୁ ଦଳର କର୍ମୀମାନେ ସଚେତନ କରାଇବେ । ମହାନଦୀକୁ ବିଜେଡି ଆଗାମୀ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ କରିବା ସହ ବିଜେପିର ହୀନଚକ୍ରାନ୍ତକୁ ନେଇ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ନିଷ୍ପତ୍ତି ନେଇଛି । ତେବେ ଏନେଇ ଚୂଡ଼ାନ୍ତ କାର୍ଯ୍ୟକ୍ରମ ଖୁବଶୀଘ୍ର ଘୋଷଣା ହେବ । ରାଜ୍ୟରେ ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଇନଗତ ଲଢ଼େଇ ଜାରି ରଖିଥିବାବେଳେ ବିଜେଡି ଲୋକଙ୍କ ମଧ୍ୟରେ ଜନ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀମାନଙ୍କୁ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ମହାନଦୀରେ ଜଳପ୍ରବାହ ହ୍ରାସ ଓ ଏହାର ସୁରକ୍ଷା ଉପରେ ବିଚାରବିମର୍ଶ କରିବା ନିମନ୍ତେ ଆଜି ବିଜେଡି ପକ୍ଷରୁ ଦଳୀୟ ମୁଖ୍ୟାଳୟରେ ଏକ ରାଜ୍ୟସ୍ତରୀୟ ମହାସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ମହାନଦୀ ପ୍ରବାହିତ ହେଉଥିବା ୧୫ଟି ଜିଲ୍ଲାର ନିର୍ବାଚିତ ଦଳୀୟ ପ୍ରତିନିଧି ଓ ବିଜେଡି କର୍ମକର୍ତ୍ତା ମହାନଦୀକୁ ନେଇ ଦଳର ପରବର୍ତ୍ତୀ ପଦକ୍ଷେପ କ’ଣ ହେବା ଦରକାର ତାହା ଉପରେ ନିଜର ମତାମତ ରଖିଥିଲେ । ଏହି ମହାସମ୍ମିଳନୀ ତଥା କର୍ମଶାଳାରେ ଯୋଗ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ଶୁଖିଲା ପଡ଼ିବା ପାଇଁ ସିଧାସଳଖ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କୁ ଦାୟୀ କରିଥିଲେ । ମହାନଦୀର ସୁରକ୍ଷା ପାଇଁ ଗାଁ ଗାଁରେ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି ନିମନ୍ତେ ସେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶାବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଲୋକଙ୍କ ମାଧ୍ୟମରେ ଜନ ଆନ୍ଦୋଳନକୁ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି । ମହାନଦୀକୁ ନେଇ ଉଭୟ ଆଇନଗତ ଓ ଜନ ଆନ୍ଦୋଳନ କରାଯିବ ବୋଲି କହିବା ସହ ମହାନଦୀ ଓ ତା’ର ଉପନଦୀର ସୁରକ୍ଷା ପାଇଁ ଦୁଇ ପାଶ୍ୱର୍ରେ ବନୀକରଣ ପାଇଁ ଉଦ୍ଦିଷ୍ଟ ‘ଗ୍ରୀନ୍ ମହାନଦୀ’ କାର୍ଯ୍ୟକ୍ରମ ରାଜ୍ୟ ସରକାର ହାତକୁ ନେଇଛନ୍ତି ବୋଲି ସୂଚନା ଦେଇଥିଲେ । ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗରେ ଅବହେଳାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଶ୍ରୀ ପଟ୍ଟନାୟକ ବର୍ଷିଥିଲେ । ଦଳ ପକ୍ଷରୁ ପ୍ରସ୍ତୁତ ‘ମହାନଦୀ ପାଇଁ ମହାସଂଗ୍ରାମ’ ପୁସ୍ତକୁ ଶ୍ରୀ ପଟ୍ଟନାୟକ ଉନ୍ମୋଚିତ କରିଥିଲେ ।
କର୍ମଶାଳାରେ ମହାନଦୀକୁ ନେଇ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ନିର୍ବାଚନୀ ପ୍ରସଙ୍ଗ କରିବା ପାଇଁ କିଛି ନେତା ସ୍ପଷ୍ଟ ମତ ରଖିଥିବାବେଳେ ପ୍ରଥମ ପର୍ଯ୍ୟାୟ ମହାନଦୀ ଲଢ଼େଇର ଲାଭକ୍ଷତିକୁ ମଧ୍ୟ ସମୀକ୍ଷା କରି ପରବର୍ତ୍ତୀ ପଦକ୍ଷେପ ନେବାକୁ କିଛି ନେତା ପରାମର୍ଶ ଦେଇଥିଲେ । ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କେବଳ ନିର୍ବାଚନୀ ହାରଜିତ୍ ପାଇଁ ମହାନଦୀ ଲଢ଼େଇ କରାଯିବାର ସନ୍ଦେଶ ନଦେବା ପାଇଁ ଦଳର କୋର୍ଟିମ୍କୁ ପରାମର୍ଶ ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ମହାନଦୀ ଲଢ଼େଇରୁ କ’ଣ ସୁଫଳ ମିଳିଲା ତା’ର ସମୀକ୍ଷା କରି ପରବର୍ତ୍ତୀ ପଦକ୍ଷେପ ନେବାକୁ ମତ ରଖିଥିଲେ । ବିଜେପୁର ଉପନିର୍ବାଚନ ଫଳାଫଳକୁ ମଡେଲ୍ ଭାବେ ଗ୍ରହଣ କରିବାକୁ ସେ ଦଳୀୟ କୋର୍ଟିମ୍କୁ ପରାମର୍ଶ ଦେଇଥିଲେ । ତାଙ୍କ ପୂର୍ବରୁ ମତ ରଖି ବିଜେଡି ବିଧାୟକ ଡଃ ଅରୁଣ ସାହୁ କହିଥିଲେ ଯେ, ମହାନଦୀ ଲଢ଼େଇ ସମ୍ପର୍କରେ ଲୋକଙ୍କୁ ଠିକ୍ ଭାବେ ଦଳ ବୁଝାଇ ନପାରିବାରୁ ପଞ୍ଚାୟତ ନିର୍ବାଚନରେ ଫଳାଫଳ ଭଲ ହେଲାନି । ତେବେ ବିଜେପୁର ଉପନିର୍ବାଚନରେ ମହାନଦୀ ପ୍ରସଙ୍ଗକୁ ବୁଝାଇବାରେ ଦଳ ସକ୍ଷମ ହୋଇଛି । ସେହିପରି ବିଜେଡି ସାଂସଦ ପ୍ରତାପ କେଶରୀ ଦେବ ସିଧାସଳଖ ଭର୍ତ୍ତୃହରିଙ୍କ ନାଁ ନେଇ କହିଥିଲେ ଯେ, ମହାନଦୀ ପ୍ରସଙ୍ଗରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବୁଝାଇବାରେ ପୂର୍ବରୁ ସମସ୍ୟା ହେଉଥିଲା । କିନ୍ତୁ ଏବେ ସ୍ଥିତି ଭିନ୍ନ ହୋଇଛି ଓ ଲୋକମାନେ ମହାନଦୀର ସମସ୍ୟାକୁ ହୃଦ୍ବୋଧ କଲେଣି । ତେଣୁ ଏହାକୁ ଦଳ ନିର୍ବାଚନୀ ଜିତିବାର ମଡେଲ୍ କରୁଛି ବୋଲି କହିବା ଅନୁଚିତ୍ । ସେହିପରି ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମହାନଦୀ ପ୍ରସଙ୍ଗକୁ ଦଳ ନିର୍ବାଚନୀ ପ୍ରସଙ୍ଗ କରିବା ପାଇଁ ପରାମର୍ଶ ଦେଇଥିଲେ । ମହାନଦୀ ପ୍ରବାହିତ ହୋଇଥିବା ବିଜେପୁର ନିର୍ବାଚନର ଫଳାଫଳ ମଧ୍ୟ ଦଳକୁ ଉତ୍ସାହିତ କରିଛି । ସେହିପରି ସାଂସଦ ତଥାଗତ ସତପଥୀ କହିଥିଲେ ମହାନଦୀ ଲଢ଼େଇକୁ ବ୍ୟାପକ କରିବା ପାଇଁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଅତିକମ୍ରେ ଏକ ହଜାର ଲୋକଙ୍କୁ ନେଇ ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ୍ ପାଖରେ ବିକ୍ଷୋଭ ପ୍ରଦର୍ଶନ କରାଇବାକୁ ମତ ରଖିଥିଲେ । ଆବଶ୍ୟକ ପଡ଼ିଲେ ସେଠାରେ ଆଇନକୁ ହାତକୁ ନେବାକୁ ସେ ଆହ୍ୱାନ କରିଥିଲେ । ଏମାନଙ୍କ ବ୍ୟତୀତର ଦଳର ପ୍ରାୟ ୩୭ଜଣ ପ୍ରମୁଖ ନେତା
ନିଜର ମତ ରଖିଥିଲେ ।
କର୍ମଶାଳା ସଂପର୍କରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥାପନା କରିଥିବା ବେଳେ ମହାନଦୀ ସଂକଟର ଘଟଣା ପ୍ରବାହ ଉପସ୍ଥାପନା କରିଥିଲେ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, କିଶୋର କୁମାର ମହାନ୍ତି ଓ ଡ. ଅରୁଣ କୁମାର ସାହୁ । ପରେ ସୁଖାସୋଡ଼ା ଗ୍ରାମ ଯେଉଁଠି ମହାନଦୀ ଓଡ଼ିଶାରେ ପ୍ରବେଶ କରିଛି, ସେହି ଗ୍ରାମର ଚାଷୀ ଟୀକାରାମ ଭୋଇ ମହାନଦୀର ତଳମୁଣ୍ଡରେ ଥିବାରୁ ଚାଷୀକୂଳ କିପରି ହଇରାଣ ହେଉଛନ୍ତି ସେ ବିଷୟରେ ଉଲ୍ଲେଖ କରିଥିଲେ । ମହାନଦୀ ସଂକଟର ବୈଷୟିକ ଦିଗ ଉପରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଇଂ ଶ୍ରୀଧର ବେହେରା ଓ ଉପ ମୁଖ୍ୟ ସରକାରୀ ସଚେତକ ଇଂ ରୋହିତ ପୂଜାରୀ ଆଲୋଚନା କରିଥିବା ବେଳେ ମହାନଦୀ ବିବାଦର ଆଇନ୍ଗତ ଦିଗ ଉପରେ ଅସିମ୍ ଅମିତାଭ ଦାସ ସୂଚନା ଦେଇଥିଲେ । ସେହିପରି ମହାନଦୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ସଂଗ୍ରାମ ଅଭିଯାନ ସଂପର୍କରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ପ୍ରସ୍ତାବ ଆଗତ କରିଥିଲେ । ବିଧାୟକ ପଦ୍ମନାଭ ବେହେରା, ଅତନୁ ସବ୍ୟସାଚୀ ନାୟକ, ଡା. ରାସେଶ୍ୱର ପାଣିଗ୍ରାହୀ, ନଗେନ୍ଦ୍ର ପ୍ରଧାନ, କୁଳମଣି ସାମଲ, କଳିକେଶ ନରାୟଣ ସିଂହଦେଓ, ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ ସିଂହ, ବେଦପ୍ରକାଶ ଅଗ୍ରୱାଲ୍, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ପ୍ରମିଳା ମଲିକ, ବିଷ୍ଣୁଚରଣ ଦାସ, ପ୍ରତାପ ଜେନା, ପ୍ରଶାନ୍ତ ମୁଦୁଲି ଏହି ଅଭିଯାନ ସଂପର୍କରେ ଆଲୋଚନା କରିଥିଲେ । ଆଗତ ହୋଇଥିବା ପ୍ରସ୍ତାବକୁ ସମସ୍ତ ଛାମୁଆ ସଂଗଠନର ସଭାପତିମାନେ ସମର୍ଥନ ଜଣାଇଥିଲେ । ଶେଷରେ ଦଳର ସାଧାରଣ ସଂପାଦକ ଶ୍ରୀ ଦେବାଶିଷ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କର୍ମଶାଳାରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଗାମୀ ୨ଦିନ ମଧ୍ୟରେ ପ୍ରତିନିଧିମାନଙ୍କୁ ଜଣାଇ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି କର୍ମଶାଳାରେ ୧୫ଟି ଜିଲ୍ଲାର ବିଧାୟକ , ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ଛାମୁଆ ସଂଗଠନର ସଭାପତି, ବ୍ଲକ ଓ ନଗର ସଭାପତି, ଜିଲ୍ଳା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ , ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷଙ୍କ ସମେତ ପ୍ରାୟ ୭୦୦ ବିଜେଡି ଦଳୀୟ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ ।


