ଭୁବନେଶ୍ୱର(ଓଡ଼ିଶା ୱେୟାର):ଚଳିତ ନିର୍ବାଚନରେ ରାଜ୍ୟର ଅଧିକାଂଶ ବିଜେପି ଓ କଂଗ୍ରେସ ବିଧାୟକଙ୍କୁ ନିରାଶ ହେବାକୁ ପଡ଼ିଛି। ଦୁଇ ଦଳର ପ୍ରାୟ ୮୦ ପ୍ରତିଶତରୁ ଅଧିକ ବିଧାୟକ ଚଳିତଥର ଆଉ ବିଧାନସଭାକୁ ଫେରିବେ ନାହିଁ। ନିର୍ବାଚନ ଫଳାଫଳରୁ ଆପାତତଃ ଏହା ସ୍ପଷ୍ଟ ହୋଇଯାଇଛି। ୨୦୧୪ ବିଧାନସଭାରେ କଂଗ୍ରେସର ୧୬ ଓ ବିଜେପି ୧୦ ବିଧାୟକ ପ୍ରତିନିଧିତ୍ୱ କରୁଥିଲେ।
ତେବେ ଚଳିତ ନିର୍ବାଚନରେ କଂଗ୍ରେସରୁ ନରସିଂହ ମିଶ୍ର ଓ ତାରାପ୍ରସାଦ ବାହିନୀପତି ଜିତିବାର ସମ୍ଭାବନା ଥିବାବେଳେ ୨୦୧୪ରେ ଜିତିଥିବା ବିଜେପିର କୌଣସି ଜଣେ ବି ବିଧାୟକ ଏଥର ବିଧାନସଭାକୁ ଫେରିବା ସମ୍ଭାବନା କ୍ଷୀଣ। ତଥ୍ୟ ଅନୁସାରେ ବିଜେପିର ୧୦ଜଣ ବିଧାୟକଙ୍କ ମଧ୍ୟରୁ ଦଳ ଏଥର ବିଭୂତିଭୂଷଣ ହରିଚନ୍ଦନ, ଦିଲ୍ଲୀପ ରାୟ ଓ ଦୁର୍ଯ୍ୟୋଧନ ମାଝୀଙ୍କୁ ଟିକେଟ୍ ଦେଇନଥିବାବେଳେ ନୀତେଶ ଗଙ୍ଗଦେବ ଓ ବସନ୍ତ ପଣ୍ଡାଙ୍କୁ ସାଂସଦ ପ୍ରାର୍ଥୀ କରିଥିଲା। ଅବଶ୍ୟ ଦଳର ଏହି ଦୁଇ ସାଂସଦ ପ୍ରାର୍ଥୀ ଯଥାକ୍ରମେ ସମ୍ବଲପୁର ଓ କଳାହାଣ୍ଡିରୁ ବିଜୟୀ ହେବାର ସମ୍ଭାବନା ରହିଛି। ତେବେ ଦଳର ଅନ୍ୟ ୫ଜଣ ବିଧାୟକ ଯଥା କନକବର୍ଦ୍ଧନ ସିଂହଦେଓ(ବିଧାୟକ ଦଳ ନେତା), ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ରବି ନାଏକ ଓ ଗୋବିନ୍ଦ ଦାସଙ୍କର ଏଥର ବିଜୟ ସମ୍ଭାବନା କ୍ଷୀଣ।
ସେହିପରି କଂଗ୍ରେସର ୧୬ଜଣ ବିଧାୟକଙ୍କ ମଧ୍ୟରୁ ସୁବଳ ସାହୁଙ୍କ ମୃତ୍ୟୁ ଘଟିଥିବାବେଳେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ, ନବ ଦାସ, ଯୋଗେଶ ସିଂ ଓ ପ୍ରକାଶ ବେହେରା ଅନ୍ୟ ଦଳକୁ ଡିଆଁ ମାରିଥିବାବେଳେ ଜ୍ୟାକବ ପ୍ରଧାନଙ୍କୁ ଦଳ ଏଥର ପ୍ରାର୍ଥୀ କରିନଥିଲା। ଅନ୍ୟ ୧୦ଜଣ ବିଧାୟକଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ନରସିଂହ ମିଶ୍ର(ବିରୋଧୀ ଦଳ ନେତା), ତାରାପ୍ରସାଦ ବାହିନୀପତି ଜିତିବାର ସମ୍ଭାବନା ରହିଛି। ତେବେ ଦଳର ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ, ଦେବେନ୍ଦ୍ର ଶର୍ମା, କେ.ଏସ.ରାଓ, ପ୍ରଫୁଲ୍ଲ ମାଝୀ, ଭୁଜବଳ ମାଝୀ, ଚନ୍ଦ୍ରଶେଖର ମାଝୀ, କୈଳାସ ଚନ୍ଦ୍ର କୁଲେସିକା ଓ ଅଂଶୁମାନ ମହାନ୍ତି ଆଉ ବିଧାନସଭାକୁ ଫେରିବାର ସମ୍ଭାବନା ନାହିଁ।
ଅବଶ୍ୟ ଚଳିତ ନିର୍ବାଚନରେ ବିଜେପି ୨୨ଟି ଆସନ ଓ କଂଗ୍ରେସ ୮ଟି ଆସନରେ ବିଜୟୀ ହେବ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ଫଳାଫଳ ଟ୍ରେଣ୍ଡରୁ ଜଣାପଡ଼ିଛି।


