ଭୁବନେଶ୍ୱର(ଓଡ଼ିଶା ୱେୟାର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଗୋପବନ୍ଧୁ ଦାଶ ସରକାରୀ ଚାକିରିରୁ ଇସ୍ତଫା ଦେଇଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଆଜି ବିଜେଡି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଦୀର୍ଘ ୩ବର୍ଷ ଧରି ଶ୍ରୀ ଦାଶ ଅଣଆନୁଷ୍ଠାନିକ ଭାବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିକ କାର୍ଯ୍ୟରେ ନିୟୋଜିତ ଥିଲେ । ସେ ସରକାରୀ ଅଫିସର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ବିଜେଡି ରାଜନୀତିକ ବ୍ୟାପାର ଦାୟିତ୍ୱରେ ରହିଥିଲେ । ଗତ ଶୁକ୍ରବାର ସେ ସରକାରୀ ଚାକିରିରୁ ଇସ୍ତଫା ଦେବା ପରେ ଆଜି ତାଙ୍କୁ ଶ୍ରୀ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଭାବେ ନିଯୁକ୍ତି ମିଳିଛି । ବିଜେଡି ନିର୍ବାଚନ ପରିଚାଳନାରେ ଶ୍ରୀ ଦାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।


