ଭୁବନେଶ୍ୱର ରାଜ୍ୟରେ ଛତୁ ଫୁଟିବା ଭଳି ଘରୋଇ କୋଚିଂ ସେଣ୍ଟର ଖୋଲି ପିଲାମାନଙ୍କୁ ଶୋଷଣ କରୁଥିବାର ବାରମ୍ବାର ଅଭିଯୋଗ ଆସିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ବିଲ୍ ଆଣିବାକୁ ଯାଉଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହ ବିଚାରବିମର୍ଶ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଚିଠା ବିଲ୍ ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାର ଏହି ଚିଠା ବିଲ୍ ଉପରେ ନଭେମ୍ବର ୬ତାରିଖ ସୁଦ୍ଧା ମତାମତ ଦେବା ପାଇଁ କହିଛନ୍ତି ।ଭୁବନେଶ୍ୱର ରାଜ୍ୟରେ ଛତୁ ଫୁଟିବା ଭଳି ଘରୋଇ କୋଚିଂ ସେଣ୍ଟର ଖୋଲି ପିଲାମାନଙ୍କୁ ଶୋଷଣ କରୁଥିବାର ବାରମ୍ବାର ଅଭିଯୋଗ ଆସିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ବିଲ୍ ଆଣିବାକୁ ଯାଉଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହ ବିଚାରବିମର୍ଶ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଚିଠା ବିଲ୍ ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାର ଏହି ଚିଠା ବିଲ୍ ଉପରେ ନଭେମ୍ବର ୬ତାରିଖ ସୁଦ୍ଧା ମତାମତ ଦେବା ପାଇଁ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ବିଲ୍ ଗୃହୀତ ହେବା ପରେ ରାଜ୍ୟରେ ଥିବା ସମସ୍ତ ଘରୋଇ କୋଚିଂ ସେଣ୍ଟରକୁ ୫ହଜାର ଟଙ୍କା ଫି’ ସହ ବିଧିବଦ୍ଧ ଭାବେ ନିର୍ଦ୍ଧାରିତ ଫର୍ମାଟ୍ରେ ସ୍ଥାନୀୟ ଜିଲ୍ଲାପାଳଙ୍କ ପାଖରେ ପଞ୍ଜିକରଣ କରିବାକୁ ପଡ଼ିବ । ସମ୍ପୃକ୍ତ କୋଚିଂ ସେଣ୍ଟରର ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଆବଶ୍ୟକ ଯାଞ୍ଚ ପରେ ପଞ୍ଜିକରଣ ପ୍ରମାଣପତ୍ର ମିଳିବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏସ୍ପି,ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍ଥାନୀୟ ସରକାରୀ କଲେଜର ପ୍ରିନ୍ସିପାଲଙ୍କୁ ନେଇ ଗଠିତ ୪ଜଣିଆ କମିଟି ଏହି କୋଚିଂ ସେଣ୍ଟରକୁ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରିବ । ପ୍ରମାଣପତ୍ର ପ୍ରଦାନ ପୂର୍ବରୁ କୋଚିଂ ସେଣ୍ଟରରେ ପାନୀୟ ଜଳ, ଶୌଚାଳୟ, ପରିଚ୍ଛନ୍ନତା, ମେଡିକାଲ ସୁବିଧା, ଅଗ୍ନିଶମ ସୁବିଧା, ପାର୍କିଂ ବ୍ୟବସ୍ଥା ଓ ଆବଶ୍ୟକ ପରିମାଣର ବେଞ୍ଚ-ଡେସ୍କ ରହିଛି କି ନାହିଁ ତାହା କମିଟି ଯାଞ୍ଚ କରିବ । ଏହା ସହିତ ପ୍ରତ୍ୟେକ କୋଚିଂ ସେଣ୍ଟରକୁ ନିଜର ପ୍ରସ୍ପେକ୍ଟସ୍ରେ କୋଚିଂର ଅବଧି, ଫି, ସର୍ବାଧିକ ପିଲାଙ୍କୁ କୋଚିଂ ଦେବାର ସଂଖ୍ୟା, ଟ୍ୟୁସନ୍ କରୁଥିବା ଶିକ୍ଷକଙ୍କ ସଂଖ୍ୟା ଆଦି ସମ୍ପର୍କରେ ବାଧ୍ୟତାମୂଳକ ଭାବେ ତଥ୍ୟ ଦେବାକୁ ପଡ଼ିବ । ଏପରିକି ଟ୍ୟୁସ୍ନ କରାଉଥିବା ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତାର ବିସ୍ତୃତ ବିବରଣୀ ମଧ୍ୟ ଉକ୍ତ ପ୍ରସ୍ପେକ୍ଟସ୍ରେ ସ୍ଥାନ ପାଇବ । ଯଦି କୌଣସି କୋଚିଂ ସେଣ୍ଟର ପିଲାଙ୍କୁ ମିଥ୍ୟା ପ୍ରଲୋଭନ ଦେଇ ମନଇଚ୍ଛା ଫି’ ନେଉଥାଏ ତା’ ବିରୋଧରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ଯେକେହି ଅଭିଯୋଗ କରିପାରିବେ । ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ୩ଜଣିଆ କମିଟି ଏହାର ସତ୍ୟତା ଯାଞ୍ଚ କରିବ । କୋଚିଂ ସେଣ୍ଟରକୁ ପଞ୍ଜିକରଣ ପ୍ରମାଣପତ୍ର ମିଳିବା ପରେ ଏହା ୩ବର୍ଷ ପାଇଁ ବୈଧ ରହିବ । ଜିଲ୍ଲା ଶିକ୍ଷା ଅଧିକାରୀ ଯେକୌଣସି ସମୟରେ ଏହି କୋଚିଂ ସେଣ୍ଟରକୁ ପରିଦର୍ଶନ ଯାଇ ତା’ର ଭିତ୍ତିଭୂମି ଓ ଶିକ୍ଷା ପ୍ରଦାନର ମାନ ଯାଞ୍ଚ କରିପାରିବେ । ପଞ୍ଜିକରଣ ନବକରଣ ପାଇଁ କୋଚିଂ ସେଣ୍ଟରକୁ ୩ହଜାର ଟଙ୍କା ପୈଠ କରିବାକୁ ପଡ଼ିବ । ଯଦି କୌଣସି କୋଚିଂ ସେଣ୍ଟର ନିୟମ ଉଲ୍ଲଘଂନ କରନ୍ତି ତା’ହେଲେ ତା’ ବିରୋଧ ୨୫ହଜାରରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଧାର୍ଯ୍ୟର ପ୍ରାବଧାନ ରହିଛି । ଏହା ସହିତ ଆବଶ୍ୟକ ପଡ଼ିଲେ ଉକ୍ତ ସଂସ୍ଥାର ପଞ୍ଜିକରଣକୁ ଜିଲ୍ଲା ପ୍ରଶାସନ ରଦ୍ଦ କରିପାରିବ ।


