ଭୁବନେଶ୍ୱର(ଓଡ଼ିଶା ୱେୟାର): ବର୍ଷା ସତ୍ତ୍ୱେ ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭୁନଥିବାବେଳେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ଶିମିଳିପାଳ ଗସ୍ତ କରିଛି । ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ଉଦବେଗ ବ୍ୟକ୍ତ କରି ରାଜ୍ୟ ବିଜେପି ସାଂସଦମାନେ ଦିଲ୍ଲୀରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ଏକ କେନ୍ଦ୍ରୀୟ ଟିମ୍ ପଠାଇବାରେ ସକ୍ଷମ ହୋଇଥିବାବେଳେ ଆଜି ରାତିରେ ରାଜ୍ୟ ବିଜେପି ବିଧାୟକମାନଙ୍କ ଏକ ଟିମ୍ ଶିମିଳିପାଳ ଗସ୍ତ କରିଛନ୍ତି ।
ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବରିଷ୍ଠ ବିଧାୟକ ଶ୍ରୀ ମିଶ୍ର କହିଚନ୍ତି ଯେ, ରାଜ୍ୟର ଅନେକ ପାହାଡ଼ ଏବଂ ଜଙ୍ଗଲ ଏବେ ନିଆଁ ଘେରରେ ରହିଛି । ଜଙ୍ଗଲ ନିଆଁ ଆୟତ୍ତାବସ୍ଥାରେ ଥିବା ରାଜ୍ୟ ସରକାର କହୁଥିବାବେଳେ କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ । ଜଙ୍ଗଲ ନିଆଁର ସାଂପ୍ରତିକ ସ୍ଥିତି କ’ଣ ରହିଛି ଏବଂ ଏହା ପ୍ରଭାବରେ ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି, ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରି ଏହାର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରାଯିବ । ଜଙ୍ଗଲରେ ନିଆଁ ଲିଭାକୁ ନେଇ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାର ମଧ୍ୟ ଅନୁଧ୍ୟାନ କରାଯିବ । ନିଆଁକୁ ଲିଭାଇବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ? ଶିମିଳିପାଳ ଅଂଚଳରେ ବାସ କରୁଥିବା ଆଦିମ ଜନଜାତି (ପିଭିଟିଜି)ର ଖେଡ଼ିଆ ଓ ମାଙ୍କଡ଼ିଆ ଜନଜାତିଙ୍କ ସମେତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହିତ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷଙ୍କ ସହ ଏହି ପ୍ରତିନିଧି ଦଳ ଆଲୋଚନା କରିବ । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁର ପ୍ରକୃତ ଏବଂ ସମସ୍ତ ବାସ୍ତବ ସ୍ଥିତି ଅନୁଧ୍ୟାନ କଲା ପରେ ବିଧାନସଭାରେ ଆଲୋଚନା କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ପ୍ରତିନିଧି ଦଳରେ ଶିମିଳିପାଳ ଯାଇଥିବା ନେତାଙ୍କ ମଧ୍ୟରେ ବିଧାୟକ ସୁବାସ ପାଣିଗ୍ରାହୀ, ସୁକାନ୍ତ ନାୟକ, ଭାସ୍କର ମଢ଼େଇ, ନାଉରୀ ନାଏକ, ନବଚରଣ ମାଝୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଶରାମ ଖୁଂଟିଆ, ପ୍ରକାଶ ସୋରେନ, ଜୟନ୍ତ ଷଡଙ୍ଗୀ, ବୁଧାନ ମୁର୍ମୁ, ସନାତନ ବିଜୁଳି, ମୁକେଶ ମହାଲିଙ୍ଗଙ୍କ ସମେତ ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଓ ଉପାଧକ୍ଷ ନରେନ୍ଦ୍ର ସାହୁ ପ୍ରମୁଖ ସାମିଲ ଅଛନ୍ତି । ଏହି ପ୍ରତିନିଧି ଦଳ ଆସନ୍ତାକାଲି ଲୁଲୁଙ୍ଗ, ପିଟାବାଟ, ବରେଇପାଣି, ଗୁଡ଼ଗୁଡ଼ିଆ ବାଟ ଦେଇ ଯଶୀପୁର ଯିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।


