ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ କୋଭିଡ୍ ପରିସ୍ଥିତିରେ ଦ୍ରୁତ ସୁଧାର ଜାରି ରହିଥିବାବେଳେ ଚଳିତମାସରେ ନୟାଗଡ଼, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ କରାଯିବ । ସେହିପରି ଜାନୁୟାରୀ ମାସରେ କଟକ ଓ ଭୁବନେଶ୍ୱରରେ ସେରୋ ସର୍ଭେ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କୋଭିଡ୍ ପରିସ୍ଥିତିର ସମୀକ୍ଷାବେଳେ ଏହି ସୂଚନା ମିଳିଛି ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଦେଶରେ ଟିକାକରଣ ପ୍ରକ୍ରିୟା ଏକବର୍ଷରୁ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଏହି ସମୟରେ ସମସ୍ତ ପ୍ରକାରର କୋଭିଡ୍ ନିୟମାବଳୀକୁ ପୂର୍ବଭଳି ଜାରି ରଖିବା ଉଚିତ୍ । ଦେଶରେ ଟିକାକରଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି । ଏଥିପାଇଁ ଓଡ଼ିଶାରେ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଛି ଓ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉଛି । କୋଭିଡ୍ ଯୋଗୁ ଉପୁଜିଥିବା ଅର୍ଥନୀତିକ ଆହ୍ୱାନର ମୁକାବିଲା ପାଇଁ ପ୍ରଶାସନକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜୀବିକା କାର୍ଯ୍ୟକ୍ରମକୁ ଋଣ ପ୍ରଦାନରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଅବହେଳା କରୁଥିବା ବ୍ୟାଙ୍କ ସମ୍ପର୍କରେ ସେହି ଦିନ ହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷୀ, ମିଶନଶକ୍ତି ଓ ,ଏମଏସଏମଇମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ସମ୍ପର୍କରେ ଆସନ୍ତା ୨୨ତାରିଖରେ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି କହିଛନ୍ତି ।
ଏବେ ରାଜ୍ୟରେ କୋଭିଡ୍ ଆରୋଗ୍ୟ ହାର ଏବେ ୯୮.୫୨ ପ୍ରତିଶତ ରହିଛି । ଦୈନିକ ସଂକ୍ରମଣ ହାର ମଧ୍ୟ ପ୍ରଥମଥର ନିମନ୍ତେ ୧ ପ୍ରତିଶତରୁ ହ୍ରାସ ପାଇଁ ୦.୯୬ ପ୍ରତିଶତ ରହିଛି । ଟୀକାକରଣର ମଡ୍ୟୁଲ ଅନୁସାରେ ସମସ୍ତ ପ୍ରସ୍ତୁତି କରାଯାଉଛି । ନିର୍ବାଚନ ପ୍ରକ୍ରିୟାର ଅନୁକରଣରେ ଟୀକାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ । କୋଲଡ୍ ଚେନ୍ , ସିରିଞ୍ଜ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।


