ଭୁବନେଶ୍ୱର : ବ୍ଲକ୍ଗ୍ରାଣ୍ଟ ସ୍କୁଲ ଓ କଲେଜ ଶିକ୍ଷକ-କର୍ମଚାରୀଙ୍କ ଆନ୍ଦୋଳନ ସତ୍ତେ୍ୱ ଯୁକ୍ତ ଦୁଇ ପରୀକ୍ଷା ଫଳ ଠିକ୍ ସମୟରେ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି । ଅପରପକ୍ଷରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରି ଆଜି ଦ୍ୱିତୀୟ ଦିନରେ ଆଉ ୧୨ଜଣ ଅଧ୍ୟାପକଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି ।
ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ପାତ୍ର କହିଛନ୍ତି ଯେ ଶିକ୍ଷକମାନଙ୍କ ଆନ୍ଦୋଳନର ପ୍ରଭାବ ଖାତା ଦେଖା ପ୍ରକ୍ରିୟାକୁ ପ୍ରଭାବିତ କରୁନାହିଁ । ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ନିର୍ଦ୍ଧାରିତ ସମୟରେ ଅର୍ଥାତ୍ ଚଳିତମାସ ୧୬ତାରିଖରୁ ଆରମ୍ଭ ହେବ । ତେବେ ଶିକ୍ଷକମାନେ ନିଜର ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି । ଶିକ୍ଷକମାନଙ୍କ ସହ ଆଲୋଚନା ପାଇଁ ତାଙ୍କ ବିଭାଗ ପ୍ରସ୍ତୁତ ଅଛି ।
ଅନ୍ୟପକ୍ଷରେ ଶିକ୍ଷକମାନଙ୍କ ବିରୋଧରେ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ସତ୍ତେ୍ୱ ବ୍ଲକ୍ଗ୍ରାଣ୍ଟ ସ୍କୁଲ ଓ କଲେଜ ଶିକ୍ଷକ ଓ ଅଧ୍ୟାପକମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି । ସ୍କୁଲ ଓ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘର ଆବାହକ ପ୍ରକାଶ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ଶିକ୍ଷକମାନଙ୍କ ୬ଦଫା ଦାବିର ସମାଧାନ କରିବା ପରିବର୍ତ୍ତେ ଏକତରଫା ଭାବେ ନିଷ୍ପତ୍ତି ନେଉଛନ୍ତି । ଗତ ଦୁଇମାସ ଧରି ସରକାରଙ୍କ ସହ ଦୁଇଥର ଆଲୋଚନା କରିସାରିଛନ୍ତି । ପ୍ରତ୍ୟେକଥର ସରକାର ପ୍ରତିଶ୍ରୁତି ଦେଉଛନ୍ତି ଓ ପ୍ରତାରଣା କରୁଛନ୍ତି । ତେଣୁ ଆଉ ଆଲୋଚନାର କ’ଣ ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ଖାତାଦେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି । ଏବେ ମାତ୍ର ୧୦ରୁ ୧୫ ପ୍ରତିଶତ ଖାତା ଦେଖା ସମ୍ଭବପର ହେଉଛି । ସୂଚନାଯୋଗ୍ୟ ଖାତା ଦେଖା ପ୍ରକ୍ରିୟାକୁ ନିର୍ଦ୍ଧାରିତ ଅବଧିରେ ଶେଷ କରିବା ପାଇଁ ଅଧ୍ୟାପକମାନଙ୍କୁ ଦୈନିକ ୧୫ଟି ଖାତା ବଦଳରେ ୨୦ଟି ଦେଖିବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆନ୍ଦୋଳନରତ ଅଧ୍ୟାପକଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରି ଖାତାଦେଖାରେ ସହଯୋଗ କରୁନଥିବା ଅଧ୍ୟାପକଙ୍କୁ ନିଲମ୍ବନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।


