କୋଲକାତା: ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଆସନ୍ତା ମେ’ ୫ ତାରିଖରେ ତୃତୀୟ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସୋମବାର ପାର୍ଟିର ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ଏ ନେଇ ସୂଚନା ଦେଇଛନ୍ତି । ପାର୍ଥ ଚାଟାର୍ଜୀ କହିଛନ୍ତି, ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ ପରେ ପ୍ରୋଟେମ୍ ସ୍ପିକର ଭାବେ ବିମାନ ବନ୍ଦୋପାଧ୍ୟାୟ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ କରାଇବେ ।
ରବିବାର ହୋଇଥିବା ଭୋଟ୍ ଗଣତିରେ ଟିଏମସି ୨୦୦ରୁ ଅଧିକ ଆସନ ଜିତି ପୁଣିଥରେ କ୍ଷମତାକୁ ଫେରିଛି । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ୨୦୦ରୁ ଅଧିକ ସିଟ୍ ଜିତିବାର ଦାବି ଆସୁଥିବା ବିଜେପିକୁ ମାତ୍ର ୭୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଆଜି ହୋଇଥିବା ଟିଏମସି ବିଧାୟକ ଦଳର ବୈଠକରେ ମମତା ବାନାର୍ଜୀଙ୍କୁ ସର୍ବସମ୍ମତିକ୍ରମେ ପାର୍ଟିର ନେତା ଚୟନ କରାଯାଇଥିଲା । ମମତା ବାନାର୍ଜୀ ମେ’ ୫ ତାରିଖରେ ଶପଥ ନେବେ। କିନ୍ତୁ କ୍ୟାବିନେଟର ଅନ୍ୟ ସଦସ୍ୟଙ୍କର ଶପଥ ପାଠ ମେ’ ୬ ତାରିଖରେ ହୋଇପାରେ ।


