ଭୁବନେଶ୍ୱର(ଓଡ଼ିଶା ୱେୟାର):ଚଳିତ ବର୍ଷ ଆରମ୍ଭରୁ ତୈଳଦର କ୍ରମାଗତ ବୃଦ୍ଧି ପାଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିରବ ଥିବା ବିଜେଡି ବହୁ ବିଳମ୍ବରେ ତୈଳଦର ବୃଦ୍ଧିକୁ ନିନ୍ଦା କରିଛି। ସାଧାରଣ ନିର୍ବାଚନ ପରଠୁ ତୈଳ ଦର ବୃଦ୍ଧିକୁ ନେଇ ସିଧାସଳଖ ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରୁଥିବା ବିଜେଡି ଏବେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳକୁ ଦେଖି ନିଜର ରଙ୍ଗ ବଦଳାଇବା ସହ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ତୈଳଦର ବୃଦ୍ଧିର ଆଳ ଦେଖାଇ ଆଜି ଟାର୍ଗେଟ୍ କରିଛି । କେନ୍ଦ୍ରର ୟୁପିଏ ସରକାର ଅମଳରେ ତୈଳଦର ବୃଦ୍ଧିକୁ କ୍ରମାଗତ ଭାବେ ବିରୋଧ କରି ରାଜରାସ୍ତାକୁ ଓହ୍ଲାଉଥିବା ବିଜେଡି ଦୀର୍ଘବର୍ଷ ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛି, ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।
ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ଚାଲିଛି। ପ୍ରତିଦିନ ୪ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୪ହଜାର ଲୋକ ପ୍ରାଣ ହରାଉଛନ୍ତି । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ବହୁ ରାଜ୍ୟରେ ଶଟଡାଉନ୍ ଓ ଲକଡାଉନ୍ ଆଦି କଟକଣା ଜାରି ହୋଇଛି। ଏଥିପାଇଁ ଦୋକାନ,ବଜାର ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବି ପୂର୍ବପେକ୍ଷା କମ୍ ରହିଛି। କରୋନା ମହାମାରୀ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ତୈଳଦର।
ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ପରଠୁ ନିୟମିତ ଭାବେ ତୈଳ ଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ନିର୍ବାଚନ ଯେତେବେଳେ ହେଉଛି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହୁଥିବା ଦେଖିବାକୁ ମିଳୁଛି। ହେଲେ ନିର୍ବାଚନ ସରିବା ପରେ ତୈଳ ଦର ବଢ଼ୁଛି। ଚଳିତବର୍ଷ ଏପ୍ରିଲ ୧୫ତାରିଖରେ ଶେଷଥର ପାଇଁ ତୈଳଦର ପରିବର୍ତ୍ତନ ହୋଇଥିଲା। ଏହାପରଠୁ ନିର୍ବାଚନ ଥିବାରୁ ତୈଳଦର ବୃଦ୍ଧି ହୋଇନଥିଲା। ହେଲେ ଗତ ୨ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୪ତାରିଖରୁ ତୈଳ ଦର ବଢ଼ିବାରେ ଲାଗିଛି ।


