ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ଆର୍ଥିକବର୍ଷରୁ ଦଳିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ବୃତ୍ତି ପ୍ରଦାନ ପାଇଁ କେନ୍ଦ୍ର କ୍ୟାବିନେଟ ନେଇଥିବା ନିଷ୍ପତ୍ତି ‘ପର୍ବତର ମୂଷିକ ପ୍ରସବ’ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାସ୍ତବରେ ମୋଦି ସରକାରଙ୍କର ଦଳିତ ଛାତ୍ରବୃତ୍ତି ପରିମାଣ ସରଳ ଦଳିତ ଛାତ୍ରଛାତ୍ରୀଙ୍କ ଦରିଦ୍ର୍ୟ ପ୍ରତି ଉପହାସ । ଏହି ଛାତ୍ରବୃତ୍ତିକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରର ଶୀର୍ଷକ କିମ୍ବା ହେଡ୍ଲାଇନ୍ରୁ ଯେ କେହି ଠକିଯିବେ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବେ । କିନ୍ତୁ ତାହା ଭିତରକୁ ଗଲେ, ପ୍ରଧାନମନ୍ତ୍ରୀ ଓ ବିଜେପି ସରକାରଙ୍କର ଦଳିତ ବିରୋଧୀ ଅସଲ ଚେହେରା ପ୍ରକାଶ ପାଉଛି । କେନ୍ଦ୍ରୀୟ ନିଷ୍ପତ୍ତି ଅନୁସାରେ ଜଣେ ଦଳିତ ଛାତ୍ର ଦୈନିକ ମାତ୍ର ୪.୯୩ ଟଙ୍କା ଅର୍ଥାତ ଚା’ କପ୍ ଟିଏ କିମ୍ବା ଆଳୁଚପ୍ ଟିଏର ଦାମ ପାଂଚ ଟଙ୍କାଠୁ ବି କମ୍ ପାଇବେ । କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ପାଂଚ ବର୍ଷର୍ରେ ୪କୋଟି ଦଳିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ବୃତ୍ତି ବାବଦରେ ୫୯ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ କେନ୍ଦ୍ର ଓ ରାଜ୍ୟ ୬୦ ପ୍ରତିଶତ ଏବଂ ୪୦ ପତିଶତ ହିସାବରେ ଧାର୍ଯ୍ୟ ହୋଇଛି । ଅର୍ଥାତ କେନ୍ଦ୍ରର ମୋଦି ସରକାର ୫ ବର୍ଷରେ ୪ କୋଟି ଛାତ୍ରଛାତ୍ରୀଙ୍କୁ ୩୫,୫୩୪ କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରିବେ । ଏହାକୁ ହିସାବ କଲେ ବାର୍ଷିକ ୭,୧୦୬ କୋଟି ଅର୍ଥାତ ଜଣେ ଦଳିତ ଛାତ୍ରଛାତ୍ରୀ ବାବଦରେ ବାର୍ଷିକ ୧୭୭୭ ଟଙ୍କା ପାଇବେ । ଅର୍ଥାତ ମାସିକ ୧୪୮ ଟଙ୍କା ବା ଦୈନିକ ୪.୯୩ ଟଙ୍କା ପାଇବେ । ଏହା ଭାରତ ବର୍ଷର ସମସ୍ତ ଦଳିତଙ୍କ ପ୍ରତି ଚରମ ଉପହାସ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଆହୁରି ମଧ୍ୟ କେନ୍ଦ୍ର ସରକାର ୬୦ ଓ ୪୦ କେନ୍ଦ୍ର ରାଜ୍ୟ ଭାଗୀଦାରୀ ପ୍ରହସନ ବନ୍ଦ କରନ୍ତୁ । ତୁରନ୍ତ ପ୍ରତ୍ୟେକ ଦଳିତ ଛାତ୍ରଛାତ୍ରୀଙ୍କୁ ମାସିକ ସର୍ବନିମ୍ନ ଏକ ହଜାର ଟଙ୍କା ହିସାବରେ ବାର୍ଷିକ ୧୨ହଜାର ଟଙ୍କା ନିଜସ୍ୱ ଭାବରେ କେନ୍ଦ୍ର ସରକାର ପ୍ରଦାନ କରିବାକୁ କଂଗ୍ରେସ ଦାବି କରୁଛି । କେବଳ ଦଳିତ ଛାତ୍ର ବୃତ୍ତି ନୁହେଁ, ମୋଦି ସରକାର ସମସ୍ତ ଆଦିବାସୀ, ପଛୁଆବର୍ଗ, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ଗରିବ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ମାସିକ ଏକ ହଜାର ଟଙ୍କା ହିସାବରେ ଛାତ୍ରବୃତ୍ତି ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।


