ଭୁବନେଶ୍ୱର(ଓଡ଼ିଶା ୱେୟାର) : ଓଡ଼ିଶା ରାଜନୀତିରେ ବର୍ତ୍ତମାନ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ଉପରେ ବିଶେଷ ଭାବରେ ନଜର ରହିଛି । କାରଣ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ହେଲେ ଆସନରେ ବିଜେଡିକୁ ଜିତାଇ ଦେବେ ନାହିଁ ବୋଲି ବଜ୍ର ଶପଥ ନେଇଥିôବା ଡାକ୍ତର ରାଉତଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସିଧା ସଳଖ ଚ୍ୟାଲେଞ୍ଜ ଦେଇଛନ୍ତି । ଏଥିରେ ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ନବୀନ ପାରାଦୀପ ବିଧାନସଭା ଆସନରୁ ପ୍ରାର୍ଥୀ କରିଛନ୍ତି । ପାରାଦୀପ ହେଉଛି ଡାକ୍ତର ରାଉତଙ୍କ ନିର୍ବାଚନମଣ୍ଡଳୀ । ଏ କ୍ଷେତ୍ରରେ ସ୍ୱଭାବିକ ଭାବେ ରାଜନୀତିକ ଦମ୍ଭୋକ୍ତି ଦେଖାଇ ଆସୁଥିବା ଡାକ୍ତର ରାଉତଙ୍କୁ ବଡ଼ ଧର୍ମ ଶଙ୍କଟ ଭିତରେ ନବୀନ ପକାଇଥିବା କଥା ରାଜନୈତିକ ମହଲରେ ଆଲୋଚନା ହେଉଛି ।
ବିଜେଡିରୁ ଯେତେବେଳେ ଡାକ୍ତର ରାଉତ ବିଦାହେଲେ ସେତେବେଳେ ଅନେକ କିଛି ଆହ୍ୱାନ ଦେଇଥିଲେ । କିନ୍ତୁ ହଠାତ ନବୀନ ତାଙ୍କ ରାଜନୈତିକ ଷ୍ଟ୍ରାଟେଜି ବଦଳାଇ ଡାକ୍ତର ରାଉତଙ୍କ ପୁଅ ସମ୍ବିତକୁ ପ୍ରାର୍ଥୀ କରିଛନ୍ତି । ଏକଥା ସମସ୍ତଙ୍କୁ ଚକିତ କରିଛି । ବୋଧହୁଏ ଡାକ୍ତର ରାଉତ ମଧ୍ୟ କିଛି ଆଭାସ ଆଗୁଆ ପାଇଥିଲେ । ସେଥିପାଇଁ ବାପ-ପୁଅ ଲଢ଼େଇକୁ ଏଡାଇବା ପାଇଁ ସେ ଜାଣିଶୁଣି ଆଗୁଆ ବାଟ କାଟିଥିଲେ ବୋଲି କୁହାଯାଉଛି । ପାରାଦୀପରୁ ଲଢ଼ିବେ ବୋଲି ପୂର୍ବରୁ ଘୋଷଣା କରୁଥିଲା ବେଳେ ବିଜେପିରେ ଯୋଗଦେଲା ବେଳେ ହଠାତ ଘୋଷଣା କଲେ ସେ ତାଙ୍କ ଜନ୍ମ ମାଟି ଏରସମାରୁ ଶେଷଥର ପାଇଁ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି । ତାଙ୍କର ଏଭଳି ପରିବର୍ତ୍ତନ ପଛରେ ଉଦ୍ଦେଶ୍ୟ ଥିବା ସେତେବେଳୁ ଜଣାପଡୁଥିଲା । ନବୀନ ଏଭଳି କିଛି ଚାଲ ଚଳାଇ ପାରନ୍ତି ବୋଧହୁଏ ଡାକ୍ତର ରାଉତ ଆଗୁଆ ଆକଳନ କରିଥିଲେ । ସେଥିପାଇଁ ସେ ଆଉ ପାରାଦୀପ କଥା ନ କହି ବାଲିକୁଦା-ଏରସମାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ଫଳରେ ଆଉ ତାଙ୍କୁ ପୁଅ ସହ ଲଢ଼ିବାକୁ ପଡ଼ିବ ନାହିଁ ।
ଏକଥା ଆଲୋଚନା ହେଉଛି ଯେ, ଜଗତସିଂହପୁର ଜିଲ୍ଲାରେ ଡାକ୍ତର ରାଉତଙ୍କର କିଛି ପ୍ରଭାବ ବିଭିନ୍ନ ନିର୍ବାଚନମଣ୍ଡଳୀରେ ରହିଛି । ୪୫ ବର୍ଷ ଧରି ରାଜନୀତି କରି ଆସୁଥିବା ଡାକ୍ତର ରାଉତଙ୍କର ନିଶ୍ଚିନ୍ତ ସମର୍ଥକ ବିଭିନ୍ନ ଅଂଚଳରେ ଥିବେ । ଏକଥାକୁ ଅନୁଭବ କରି ବୋଧହୁଏ ଡାକ୍ତର ରାଉତଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ପୁଅକୁ ଶେଷରେ ବିଜେଡି ପ୍ରାର୍ଥୀ କରିଛି । ଦେବାଶିଷ ସାମନ୍ତରାୟ ପ୍ରାର୍ଥୀ ହେବା ପାଇଁ ଅଂଟା ଭିଡ଼ି ବସିଥିଲେ । ତାଙ୍କୁ ନିରାଶ କରାଯାଇଛି । ଡାକ୍ତର ରାଉତ ଯେପରି ଆଉ ବିଜେଡି ବିରୋଧରେ କେବଳ ତାଙ୍କ ନିର୍ବାଚନମଣ୍ଡଳୀ ଏରସମାକୁ ଛାଡ଼ି ଅନ୍ୟ ଆଡ଼େ ପ୍ରଭାବ ବିସ୍ତାର କରିବେ ନାହିଁ ସେହି ଲକ୍ଷ୍ୟ ରଖି ଏପରି କରାଯାଇଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି ।
ଡାକ୍ତର ରାଉତଙ୍କ ପାଇଁ ଏହି ଘଟଣା ଏବେ ଅଗ୍ନି ପରୀକ୍ଷା ଭଳି ହୋଇଛି । ପାରାଦୀପ ତାଙ୍କର ନିର୍ବାଚନମଣ୍ଡଳୀ ଥିବାରୁ ସେଠାରେ ତାଙ୍କର ବହୁ ସମର୍ଥକ ଅଛନ୍ତି । ସେମାନଙ୍କୁ ଡାକ୍ତର ରାଉତ ବିଜେପିରେ ସାମିଲ ହୋଇଥିବାରୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କାର୍ଯ୍ୟ କରିବାକୁ କହିବେ ନାଁ ପୁତ୍ର ମୋହ ଦେଖାଇବେ ତାହା ହେଉଛି ବଡ଼ ପ୍ରଶ୍ନ । ଏକଥାବି ଉଠୁଛି ପାରାଦୀପରେ ବିଜେପି ପ୍ରାର୍ଥୀ ପାଇଁ ଡାକ୍ତର ରାଉତ ପ୍ରଚାର କରିବାକୁ ଯିବେ କି ନାହିଁ । ଆଉ ଯଦି ପ୍ରଚାର କରିବାକୁ ଯିବେ ବିଜେଡି ପ୍ରାର୍ଥୀ ବିରୋଧରେ ସ୍ୱର ଉଠାଇବେ କି ନାହିଁ । ନିର୍ବାଚନମଣ୍ଡଳୀରେ ତାଙ୍କର ବହୁ ସମର୍ଥକ ଥିବାରୁ ସେମାନଙ୍କୁ ଯଦି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଡାକ୍ତର ରାଉତ ଖୋଲାଖୋଲି କହିବେ ତେବେ ବିଜେଡି ପ୍ରାର୍ଥୀ ପୁଅ ସମ୍ବିତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ । ଏ କ୍ଷେତ୍ରରେ ଡାକ୍ତର ରାଉତ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାର ଅଛି । ନବୀନ ଯେଉଁ ଗୋଟି ଚାଳନା କରିଛନ୍ତି ସେଥିରେ ଡାକ୍ତର ରାଉତ ଘାଇଲା ହେଉଛନ୍ତି କି ନାହିଁ ତାହା ନିର୍ବାଚନ ଫଳାଫଳ ଆସିଲେ ଜଣାପଡ଼ିବ ବୋଲି କୁହାଯାଉଛି ।


