ଭୁବନେଶ୍ୱର(ଓଡ଼ିଶା ୱେୟାର) : ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତଙ୍କୁ ନେଇ ସସପେନ୍ସ ବଢିବାରେ ଲାଗିଛି । ଜଗତସିଂହପୁର ଜିଲ୍ଲାରୁ ଗୋଟିଏ ହେଲେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ଦେବା ନାହିଁ ବୋଲି ଦଳରୁ ବହିଷ୍କୃତ ହେବା ପରେ ବଜ୍ର ଶପଥ ନେଇଥିବା ଡା.ରାଉତଙ୍କ ଆଭିମୁଖ୍ୟ ଓ କାର୍ଯ୍ୟଧାରୁକୁ ନେଇ ସନ୍ଦେହ ଦେଖାଦେଇଛି । ବିଜେଡି ଚତୁରତାର ସହ ଦାମଙ୍କୁ ବୋଲ୍ଡ ଆଉଟ କରିବା ପାଇଁ ତାଙ୍କ ପୁଅକୁ ପାରାଦୀପରୁ ପ୍ରାର୍ଥୀ କରିଛି ବୋଲି ଯାହା କୁହାଯାଉଥିଲା ତାହା କ୍ରମେ ସ୍ପଷ୍ଟ ହୋଇଥିବା ଦେଖାଦେଉଛି । ଜଗତସିଂହପୁର ଜିଲ୍ଲା ପ୍ରତି ତାଙ୍କର ଆଉ ଆନ୍ତରିକତା ନଥିବା କଥା ମଧ୍ୟ ଉଠୁଛି । ପୁଅ ଦାମଙ୍କ ସବୁ ଅଙ୍କ ବିଗାଡି ଦେଲା ବୋଲି କୁହାଯାଉଛି ।
ବିଜେଡିରୁ ଅତି ଅପମାନ ଜନକ ପରିସ୍ଥିତିରେ ପ୍ରଥମେ ମନ୍ତ୍ରୀମଣ୍ଡଳରୁ ପରେ ଦଳରୁ ବିଦା ହେବା ପରେ ସେ ଶପଥ ନେଇଥିଲେ ଯେ,ଏହାର ପ୍ରତିଶୋଧ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ନେବେ । ପାରିଦୀପରୁ ସେ ଛିଡା ହୋଇ ନବୀନ ତାଙ୍କୁ ଯେଉଁ ଅପବାଦ ଦେଇଛନ୍ତି ତାହା ଲିଭେଇବା ପାଇଁ ଜନ ସର୍ମଥନ ତାଙ୍କପ୍ରତି କେତେ ରହିଛି ତାହା ସେ ପ୍ରମାଣିତ କରିବ ବୋଲି ସେ କହିଥିଲେ । ପାରାଦୀପ ହେଉଛି ତାଙ୍କ ଗଡ । ତାଙ୍କୁ ସେଠାରୁ କେହି ହଟାଇ ପାରିବେ ନାହିଁ । ଏଭଳି ଘୋଷଣା କରିଥିବା ଡା. ରାଉତ ହଠାତ ବିଜେପିରେ ମିଶିବା ପରେ ଘୋଷଣା କଲେ ସେ ପାରାଦୀପ ବଦଳରେ ଏରସମା ତାଙ୍କ ଜନ୍ମ୍ନ ମାଟି ହୋଇଥିବାରୁ ସେଠାରୁ ସେ ଶେଷ ନିର୍ବାଚନ ଲଢିବେ । ସେତେବେଳେ ଜଣା ପଡୁଥିଲା ତାଙ୍କର ଏହି ଘଟ ପରିବର୍ତ୍ତନ ପଛରେ ନିଶ୍ଚିତ କିଛି ରାଜନୈତିକ ଚାଲ ରହିଛି । ତାହା ପରେ ପ୍ରମାଣିତ ହେଲା ବିଜେଡି ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଯେତେବେଳେ ପାରାଦୀପରୁ ପ୍ରାର୍ଥୀ କଲା । ସମ୍ବିତ ପ୍ରାର୍ଥୀ ହେବା ପରେ ଚର୍ଚ୍ଚା ହେଲା ଡା. ରାଉତ ଆଉ ନିର୍ବାଚନ ଲଢି ନପାରନ୍ତି । ମଇଦାନରୁ ଓହରି ଯାଇପାରନ୍ତି । ବିଜେଡି ସହ ତାଙ୍କର ଏଭଳି କିଛି ଭିତିରି ଡିଲ ହୋଇଛି । ସେଥିପାଇଁ ତାଙ୍କ ପୁଅକୁ ପ୍ରାର୍ଥୀ କରାଯାଇଛି । ଏହି ଖବର ଏତେ ଜୋରରେ ପ୍ରସାରିତ ହେଲା ଯେ ଶେଷରେ ଡା. ରାଉତଙ୍କୁ ମୁହଁ ଖୋଲିବାକୁ ପଡିଲା । ସେ କହିଲେ ୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ଓ ବିଜେଡିକୁ ହରାଇବା ପାଇଁ ଲାଗିବେ । ନହେଲେ ନବୀନଙ୍କ ଉପରେ ତାଙ୍କର ପ୍ରତିଶୋଧ ନେବା ଲକ୍ଷ୍ୟ ପୂରଣ ହେବ ନାହିଁ । ହେଲେ ଡା. ରାଉତ ଇତି ମଧ୍ୟରେ ଏରସମାରୁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିନ୍ତୁ ଏହି ନାମାଙ୍କନ ପତ୍ର ଦାଖଲ ଘଟଣାକୁ ନେଇ ସେ ଅଧିକ ବିବାଦୀୟ ହୋଇଉଠିଛନ୍ତି । ଡା.ରାଉତ କୁହନ୍ତି ୪୦ ବର୍ଷରୁ ଉଦ୍ଧ୍ୱ ସମୟ ହେଲା ରାଜନୀତିରେ ରହିଛନ୍ତି । ଏକାଧିକ ବାର ନିର୍ବାଚନ ଲଢିଛନ୍ତି ଓ ଜିତିଛନ୍ତି । କିନ୍ତୁ କେବେ ବି ତାଙ୍କୁ ଏକୁଟିଆ ଆସି ପ୍ରାର୍ଥୀପତ୍ର ଦାଖଲ କରିବା ଦେଖାଯାଇନଥିଲା । ଏଥର ସେ ନାମାଙ୍କନ ତାଲିକା ପତ୍ର ସହ ନିଜର ଆଇନ ପରାମର୍ଶ ଦାତାଙ୍କୁ ଧରି ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଜେପିର କୌଣସି ଦଳୀୟ କମକର୍ତ୍ତାଙ୍କୁ ଆଣି ନଥିଲେ କି ନିଜ ଜନ୍ମ ମାଟିର କୌଣସି ଲୋକଙ୍କୁ ଆଣିଥିଲେ । ଏଥିରୁ ତାଙ୍କର ଏହି ଆଭିମୁଖ୍ୟକୁ ନେଇ ସନ୍ଦେହ ଘନିଭୂତ ହୋଇଛି । କାରଣ ସେ ସବୁବେଳେ ପ୍ରାର୍ଥପତ୍ର ଦାଖଲ କରିବାକୁ ଆସିଲା ବେଳେ ସବୁଠୁ ଅଧିକ ଲୋକଙ୍କୁ ଧରି ଶୋଭାଯାତ୍ରାରେ ଆସିଥାନ୍ତି । ଏଥର ସମ୍ପୂଣ୍ଣ ନିଆରା ଢଙ୍ଗ ଅଲମ୍ବନ କରିବା ପଛରେ ନିର୍ବାଚନ ଲଢିବା ପାଇଁ ତାଙ୍କର ଆନ୍ତରିକତା ଉପରେ ପ୍ରଶ୍ନ ଉଠୁଛି । ଆହୁରି ସନ୍ଦେହ ଉପୁଡୁଛି ଭୁବନେଶ୍ୱର ଉତ୍ତରରୁ ଡା.ରାଉତଙ୍କ ଝିଅ ପୂର୍ବଚନ କର୍ପରେଟର ପ୍ରୀତିନନ୍ଦା ରାଉତରାୟ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦଖଲ କରିଥିଲେ ମଧ୍ୟ ତାହା ସେ ପ୍ରତ୍ୟାହାର କରିନେଇଛନ୍ତି । ଭାଇକୁ ବିଜେଡି ପ୍ରାର୍ଥୀ କରିଥିବାରୁ ଉତ୍ତରରେ ସେ ଛିଡା ହେଲେ ବିଜେଡି ପ୍ରାର୍ଥୀ କାଳେ ସମସ୍୍ୟାରେ ପଡିବେ ସେଥିପାଇଁ ସେ ନାମାଙ୍କନ ପ୍ର୍ୟାହାର କରିବା କଥା କୁହାଯାଉଛି । ଅନ୍ୟପଟରେ ଡା. ରାଉତ ଏଯାଏଁ ଜଗତସିଂହପୁର ମାଟିରୁ ବିଜେଡିକୁ ନିଃଚିହ୍ନ କରିବା ପାଇଁ କରିଥିବା ଘୋଷଣାକୁ କାର୍ଯ୍ୟକାରୀ ଦିଗରେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନେଇ ନାହାନ୍ତି । ପାରାଦୀପ ତାଙ୍କ ଗଡ ହୋଇଥିବାରୁ ସେଠାରେ ସିଏ ପୁଅକୁ ହରାଇ ବିଜେଡି ପ୍ରାର୍ଥୀକୁ ଜିିତାଇ ପାରିବେ ବୋଲି ଯେତେବେଳେ ପ୍ରଶ୍ନ ଉଠିଲା ସେତେବେଳେ ସେ ପରୋକ୍ଷରେ ପୁଅ ଆଡକୁ ଢଳିଲେ । କହିଲେ ପାରାଦୀପ ହେଉଛି ବିଜୁ ପଟ୍ଟନାୟକଙ୍କ ଗଡ ଏଣୁ ଲୋକେ ବିଚାର କରିବେ । ଏଣୁ ଦାମଙ୍କ କଥାକଥିତ ବିଜେପି ଆଭିମୁଖ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି ।


