କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ। ସେ ନିର୍ବାଚନ ପ୍ରଚାର ବେଳେ ସିଏପିଏଫ ଯବାନଙ୍କୁ ଘେରାଉ କରିବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ। ଏଥିପାଇଁ ନିର୍ବାଚନ କମିଶନ ତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ବା ଗୋଟିଏ ଦିନ ପାଇଁ ବ୍ୟାନ୍ ଲଗାଇଛନ୍ତି।
ଆଜି(ସୋମବାର) ରାତି ୮ଟାରୁ ଏହି ଦଣ୍ଡାଦେଶ କାର୍ୟ୍ୟକାରୀ ହେବ। ମଙ୍ଗଳବାର ରାତି ୮ଟା ପରେ ମମତା ପୁଣି ପ୍ରଚାର କରିପାରିବେ। ନିର୍ବାଚନ କମିଶନ ନିର୍ଦ୍ଦେଶନାମାରେ କହିଛନ୍ତି, ମମତା ବାନାର୍ଜୀ ଅତ୍ୟନ୍ତ ଆପତ୍ତି ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ତାଙ୍କ ବୟାନ ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ରହିଛି। ସେହିପରି ଏହି ବିଶୃଙ୍ଖଳା ନିର୍ବାଚନ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିବ। ତେଣୁ ତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ରୋକ ଲଗାଯାଉଛି। ଏହି ସମୟରେ ସେ କୌଣସି ବି ମାଧ୍ୟମରେ ନିଜର କିମ୍ବା ନିଜ ଦଳର ପ୍ରଚାର କରିପାରିବେ ନାହିଁ।


