ଭୁବନେଶ୍ୱର(ଓଡ଼ିଶା ୱେୟାର): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ରାତିରେ ଦିଲ୍ଲୀରୁ ଫେରୁଛନ୍ତି ଓ ସେ ଭୁବନେଶ୍ୱରରେ ପହଂଚିବା ପରେ ନିଜର ଭବିଷ୍ୟତ ରାଜନୀତିକ ଗତିବିଧି ସମ୍ପର୍କରେ ଘୋଷଣା କରିବେ।
ମିଳିଥିବା ସୂଚନା ଅନୁସାରେ, ଡାକ୍ତର ରାଉତ ଦିଲ୍ଲୀ ଗସ୍ତରେ ଯାଇ ବିଜେପିରେ ସାମିଲ ହେବା ନେଇ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ଡାକ୍ତର ରାଉତ ନିର୍ଦ୍ଦିଷ୍ଟ ଭାବେ କାହା ସହ କଥା ହୋଇଛନ୍ତି ଓ କ’ଣ ତାଙ୍କୁ ପ୍ରତିଶ୍ରୁତି ମିଳିଛି ତାହା ଜଣାପଡ଼ିନି। ମାତ୍ର ଡାକ୍ତର ରାଉତଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ। ଏଥିପାଇଁ ନିଜର ଘନିଷ୍ଠ ସମର୍ଥକମାନଙ୍କ ସହ ବିଚାରବିମର୍ଶ ମଧ୍ୟ କରିଛନ୍ତି। ଭୁବନେଶ୍ୱରରେ ଖୁବଶୀଘ୍ର ଏକ ବଡ଼ଧରଣର କାର୍ଯ୍ୟକ୍ରମରେ ଡାକ୍ତର ରାଉତ ବିଜେପିରେ ସାମିଲ ହେବେ। ଡାକ୍ତର ରାଉତଙ୍କୁ ବିଜେପି ଆଗାମୀ ସାଧାରଣ ନିର୍ବାଚନରେ ପାରାଦୀପ ବିଧାନସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।


