ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡିରୁ ଇସ୍ତଫା ଦେବାର ଦୀର୍ଘ ୯ମାସ ପରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ସେ ଭାରତୀୟ ଜନତା ପାର୍ଟି(ବିଜେପି)ର ସଦସ୍ୟତା ଗ୍ରହଣ କରିଛନ୍ତି। ଏହାସହିତ ଗତ କିଛିମାସ ଧରି ଶ୍ରୀ ପଣ୍ଡାଙ୍କ ରାଜନୀତିକ ଆଭିମୁଖ୍ୟକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ସୂଚନା ଅନୁସାରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀ ପଣ୍ଡା ନିଜର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଶ୍ରୀ ପଣ୍ଡା ବିଜେପି ଓ କଂଗ୍ରେସରେ ସାମିଲ ହେବା ନେଇ କିଛିମାସ ଧରି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ଶ୍ରୀ ପଣ୍ଡା ଉଚିତ୍ ସମୟରେ ସଠିକ୍ ନିଷ୍ପତ୍ତି ନେବେ ବୋଲି କହି ନିଜର ରାଜନୀତିକ କାର୍ଡକୁ ଖୋଲୁନଥିଲେ। ‘ହେଇଯାଉ’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହ ଚା’ ପିଇ ସେମାନଙ୍କଠୁ ବିଭିନ୍ନ ମତାମତ ଗ୍ରହଣ କରି ରାଜନୀତିକ ପଦକ୍ଷେପ ନେବେ ବୋଲି ଶ୍ରୀ ପଣ୍ଡା କହିଥିଲେ। ଏପରିକି ଶ୍ରୀ ପଣ୍ଡା ନୂଆ ଦଳ ଗଠନ କରି ବିଜେଡିକୁ କଡ଼ା ଟକ୍କର ଦେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ମାତ୍ର ଆଜି ପବିତ୍ର ଜାଗର ଅମାବାସ୍ୟାରେ ସେ ଦିଲ୍ଲୀସ୍ଥିତ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ବାସଭବନରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସମ୍ଭବତଃ ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି।ସେ ୨୦୦୯ ଓ ୨୦୧୪ ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ।


